ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ । କେଜ୍ରିଓ୍ଵାଲ ମଙ୍ଗଳବାର ଅଟୋ ଚାଳକଙ୍କ ପାଇଁ ବଡ଼ ଗ୍ୟାରେଣ୍ଟିର ଘୋଷଣା କରିଛନ୍ତି। ସେ କହିଛନ୍ତି ଦିଲ୍ଲୀରେ ଅଟୋ ଚାଳକଙ୍କୁ ବୀମାଭୁକ୍ତ କରାଯିବ। ଅଟୋ ଚାଳକଙ୍କ ପିଲାଙ୍କ କୋଚିଂ ଖର୍ଚ୍ଚ ବହନ କରାଯିବା ସହ ସେମାନଙ୍କ ଝିଅଙ୍କ ବାହାଘର ପାଇଁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।
ଅରବିନ୍ଦ କେଜ୍ରିଓ୍ବାଲଙ୍କ ପକ୍ଷରୁ ଦିଲ୍ଲୀ ଅଟୋ ଚାଳକଙ୍କ ପାଇଁ କରାଯାଇଥିବା ଘୋଷଣାକୁ ଆମ୍ ଆଦମୀ ପାର୍ଟି ନିଜର ଏକ୍ସରେ ପୋଷ୍ଟ କରିଛି। କେଜ୍ରିଓ୍ଵାଲଙ୍କ ଅଟୋ ଚାଳକଙ୍କ ପାଇଁ ଏହା ପ୍ରଥମ ଗ୍ୟାରେଣ୍ଟି ବୋଲି କହିଛି ଆପ୍। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ପୁଣି ଥରେ ସରକାରକୁ ଆସିଲେ ଅଟୋ ଚାଳକଙ୍କ ପାଇଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ୫ ବଡ଼ ଗ୍ୟାରେଣ୍ଟି।
ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଦିଆଯିବ। ସେମାନଙ୍କ ଝିଅଙ୍କ ବିବାହରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଅଟୋ ଚାଳକଙ୍କ ୟୁନିଫର୍ମ ପାଇଁ ବର୍ଷକୁ ଦୁଇ ଥର ୨୫ ଶହ ଟଙ୍କା ଲେଖାଏଁ ଟଙ୍କା ଦିଆଯିବା ସହ ପିଲାଙ୍କ କୋଚିଂ ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ। ‘ପୁଛୋ ଆପ୍’ ପୁଣି ଥରେ ଲାଗୁ ହେବ।
କେଜ୍ରିଓ୍ଵାଲ କହିଛନ୍ତି, ଆପ୍ ଦିଲ୍ଲୀରେ ପୁଣି ଥରେ କ୍ଷମତାକୁ ଆସିଲେ ଏହି ପାଞ୍ଚ ଗ୍ୟାରେଣ୍ଟି ଲାଗୁ କରାଯିବ। ଅଟୋ ଚାଳକମାନେ ବହୁତ ଗରିବ ଏବଂ ଝିଅର ବାହାଘର ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଆମ ସରକାର ଆସିଲେ ଅଟୋ ଚାଳକଙ୍କୁ ସେମାନଙ୍କ ଝିଅର ବିବାହ ପାଇଁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତିଟି ଅଟୋ ଚାଳକଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଓ ପାଞ୍ଚ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯିବ।