ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜମ୍ମୁ-କାଶ୍ମୀରରେ ନିର୍ବାଚନ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଡୋଡାରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କ ଉପରେ ଶାଣିତ ସ୍ୱରରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି, ସ୍ୱାଧୀନତା ପରଠୁ ଏହି ରାଜ୍ୟ ବିଦେଶୀ ଶକ୍ତିଙ୍କ ଟାର୍ଗେଟକୁ ଆସିଗଲା । ପୁଣି ପରିବାରବାଦ ଏହି ରାଜ୍ୟକୁ ଦୁର୍ବଳ କରି ଚାଲିଲା ।
ପିଏମ ମୋଦୀ କହିଛନ୍ତି, ଯେଉଁ ରାଜନୈତିକ ଦଳଗୁଡିକୁ ଆପଣ ଭୋଟ୍ ଦେଇଛନ୍ତି, ସେମାନେ ଆପଣଙ୍କୁ ନୁହେଁ ନିଜ ପରିବାରକୁ ଆଗକୁ ବଢାଇଛନ୍ତି । ଆଉ ଆପଣମାନେ ଆତଙ୍କବାଦର ଜ୍ୱାଳାରେ ଜଳୁଛନ୍ତି । ଏଥର ନିର୍ବାଚନ ତିନି ପରିବାର ଏବଂ ଜମ୍ମୁର ଯୁବ ବର୍ଗଙ୍କ ମଧ୍ୟରେ ହେଉଛି । ଗୋଟିଏ ପରିବାର କଂଗ୍ରେସ, ଦ୍ୱିତୀୟ ନ୍ୟାସନାଲ କନଫରେନ୍ସ ଓ ତୃତୀୟ ପିଡିପି । ଏହି ତିନି ପରିବାର ଦଶନ୍ଧି ଧରି ଜମ୍ମୁ-କାଶ୍ମୀରର ବରବାଦ ପାଇଁ ଦାୟୀ । ଏହି ତିନି ପରିବାର ରାଜ୍ୟରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଛନ୍ତି । ଜମି ମାଫିଆକୁ ଆଗକୁ ବଢାଇଛନ୍ତି । ଏହି ତିନି ଦଳ ଜମ୍ମୁ-କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଛନ୍ତି ।
ଏହି ଲୋକେ ନୂତନ ନେତୃତ୍ୱକୁ ଆଗକୁ ଆସିବାକୁ ଦେଲେନି । ଏଠାରେ ୨୦୦୫ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ବି ହେଲାନି । ଦଶନ୍ଧି ଧରି ପରିବାରବାଦ ଏଠାକାର ଲୋକଙ୍କୁ ଆଗକୁ ବଢିବାକୁ ଦେଲେନି । ଆଜି ଜମ୍ମୁରେ ଅନେକ ପ୍ରକାରର ବିକାଶମୂଳକ କାମ ଆଗେଇ ଚାଲିଛି । ଲୋକଙ୍କୁ ବାହାରକୁ ଯିବାକୁ ଆବଶ୍ୟକତା ପଡୁନି । ଆପଣଙ୍କୁ ମଧ୍ୟ ସେହି ସମୟ ମନେ ଥିବ ଯେତେବେଳ ସନ୍ଧ୍ୟା ହେଲେ ଅଘୋଷିତ କର୍ଫ୍ୟୁ ଲାଗୁ କରାଯାଉଥିଲା । ଏପରିକି କେନ୍ଦ୍ରରେ ସେହି ସମୟରେ ଥିବା କଂଗ୍ରେସ ସରକାରର ମନ୍ତ୍ରୀ ଲାଲ ଚୌକ ଆସିବାକୁ ଭୟ କରୁଥିଲେ ବୋଲି ପିଏ ମୋଦୀ କହିଛନ୍ତି ।