ଭୁୁବନେଶ୍ୱର: ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ପ୍ରତିବାଦରେ ନିକଟରେ ବିଧାନସଭା ଘେରାଉ ଉଦ୍ୟମ କରିଥିଲା ରାଜ୍ୟ କଂଗ୍ରେସ । ଏହି ସମୟରେ ଗାନ୍ଧୀ ମାର୍ଗ ରଣକ୍ଷେତ୍ର ପାଲଟିଥିଲା । ହିଂସାତ୍ମକ ଆନ୍ଦୋଳନ ଘଟିଥିଲା । କଂଗ୍ରେସ କର୍ମୀଙ୍କ ଅରାଜକତ ଦେଖିବାକୁ ମିଳିଥିଲା । ଏହି ସମସ୍ତ ଅଭିଯୋଗକୁ ଭିତ୍ତି କରି କଂଗ୍ରେସ ବିଧାୟକ ସମେତ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ କମିଶନରେଟ୍ । ଆଉ ଏତେ ସଂଖ୍ୟକ ଲୋକଙ୍କ ନାଁରେ ମାମଲା ରୁଜୁ କରାଯିବ ଓଡିଶା ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି ।
ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ କଂଗ୍ରେସ ବିଧାୟକ ଓ ୫ ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ତଦନ୍ତ ଆଗକୁ ବଢିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି । ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୮୯(୨), ୧୯୧(୨), ୧୩୨, ୧୨୧(୧), ୩୨୪(୪), ୨୯୬, ୩୫୧(୨), ୧୯୦ ଏବଂ ଓଡିଶା ଅର୍ବାନ ପୋଲିସ ଆକ୍ଟ ୯୬ ଆଧାରରେ ଏହି ମାମଲା ରୁଜୁ ହୋଇଛି ।
ଏଫଆଇଆର ହୋଇଥିବା ନେତାଙ୍କ ମଧ୍ୟରେ ଭକ୍ତ ଚରଣ ଦାସଙ୍କ ସମେତ ତାଲିକାରେ ତାରା ପ୍ରସାଦ ବାହିନୀପତି, ରମେଶଚନ୍ଦ୍ର ଜେନା, ରାମଚନ୍ଦ୍ର କାଡାମ, ପବିତ୍ର ସାଉଣ୍ଟା, ସାଗର ଚରଣ ଦାସ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ମଙ୍ଗୁ ଖିଲ, ସିଏସ ରାଜିନ ଏକ୍କା, ମହମ୍ମଦ ମୋକିମ, ସୁରେଶ ଚନ୍ଦ୍ର ରାଉତରାୟ ସାମିଲ । ଏତେ ମାତ୍ରାରେ କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହେବା ପରେ ଏବେ କଂଗ୍ରେସର ଆଭିମୁଖ୍ୟ କଣ ହେଉଛି ତାହା ଦେଖିବାକୁ ବାକି ରହିିଲା ।
ସୂଚନାଯୋଗ୍ୟ, ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ମାର୍ଚ୍ଚ ୨୭ ତାରିଖ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବିଧାନସଭା ଘେରାଉ ଉଦ୍ୟମ ଏବଂ ବିକ୍ଷୋଭ ପ୍ରଦର୍ଶନ ସମୟରେ ହିଂସାତ୍ମକ ଆନ୍ଦୋଳନ ଘଟିଥିଲା । ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଢେଲା, ପଥର ସହ ମାଡ ସହ ପ୍ଲାଷ୍ଟିକ ଚେୟାର ଅଣ୍ଡା ଫିଙ୍ଗିଥିଲେ କଂଗ୍ରେସ କର୍ମୀ ।
ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଥମେ ଟିୟର ଗ୍ୟାସ ପ୍ରୟୋଗ କରିଥିଲା । ହେଲେ ଧିରେ ଧିରେ ପରିସ୍ଥିତି ଅଣାୟତ୍ତ ହେବାକୁ ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ପୋଲିସକୁ ମାଡ ମରାଯିବା ସହ ପୋଲିସ ଗାଡିକୁ କ୍ଷତିଗ୍ରସ୍ତ କରିବାର ଅଭିଯୋଗ ହୋଇଥିଲା । ପୂରା ରଣକ୍ଷେତ୍ର ପାଲଟିଥିଲା ଗାନ୍ଧୀ ମାର୍ଗ । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା ।