ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏମ ସିଦ୍ଧରମୈୟାଙ୍କ ବିରୋଧରେ ମହୀଶୂର ଲୋକାୟୁକ୍ତ ଏଫଆଇଆର ରୁଜୁ କରିଛି । ମହୀଶୂର ଅର୍ବାନ ଡେଭଲପମେଣ୍ଟ ଅଥରିଟିର ଜମି ଆବଣ୍ଟନରେ ହୋଇଥିବା ଦୁର୍ନୀତି ମାମଲାରେ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ପକ୍ଷରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଦେଶ ଦିଆଯାଇଥିଲା । ଏହାରି ଆଧାରେ ଲୋକାୟୁକ୍ତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସିଦ୍ଧରମୈୟାଙ୍କ ବିରୋଧରେ ସିଆରପିସିର ସେକ୍ସନ ୧୫୬(୩) ଆଧାରରେ କେସ ରୁୁଜୁ କରାଯାଇଛି । ଏହା ବ୍ୟତୀତ ଆଇପିସିର ଧାରା ୧୨୦ବି, ୧୬୬, ୪୦୩, ୪୨୦, ୪୨୬, ୪୬୫, ୪୬୮, ୩୪୦, ୩୫୧ ଆଧାରରେ ସିଦ୍ଧରମୈୟାଙ୍କ ବିରୋଧରେ କେସ୍ ଫାଇଲ୍ କରାଯାଇଛି । ଏହି ମାମଲାର ତଦନ୍ତ ଲୋକାୟୁକ୍ତ ପୋଲିସ ଦ୍ୱାରା କରାଯିବ । ଏଫଆଇଆର ଆଧାରରେ ସିଦ୍ଧରମୈୟାଙ୍କୁ ପଚରା ଉଚୁରା ପାଇଁ ଡକାଯାଇପାରେ । ଉଲ୍ଲେଖନୀୟ ଲୋକାୟୁକ୍ତଙ୍କ ନିକଟରେ ଗିରଫଦାରୀ କରିବାର ଶକ୍ତି ରହିଛି । ତେଣୁ ସିଦ୍ଧରମୈୟାଙ୍କ ଗିରଫଦାରୀର ଆଶଙ୍କା ମଧ୍ୟ ରହିଛି । ଏହା ପୂର୍ବରୁ ସିଦ୍ଧରମୈୟା ଆଇନ ବିଷାରଦଙ୍କ ପରାମର୍ଶକ୍ରମେ ଆଗୁଆ ଜାମିନ ପାଇଁ ଆବେଦନ କରି ପାରନ୍ତି ।
ଏହି କେସକୁ ନେଇ ସିଦ୍ଧରମୈୟାଙ୍କ ଅଡୁଆ ବଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପାଇଁ ତାଙ୍କ ଉପରେ ଚାପ ବଢିବାରେ ଲାଗିଛି । ହେଲେ ସିଦ୍ଧରମୈୟା ନିଜ ଉପରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସେ ଗୁରୁବାର ମଧ୍ୟ କହିଥିଲେ । ଏହା ବିରୋଧୀଙ୍କ ଏକ ଷଡଯନ୍ତ୍ର ବୋଲି ସେ କହିଥିଲେ ।
କେବଳ ଏତିକି ନୁହେଁ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ତାଙ୍କ ସପକ୍ଷରେ ଟିପ୍ପଣୀ କରି ସାରିଛନ୍ତି । ସେ କହିଥିଲେ, ଏହି ମାମଲାରେ ଆଇନ ତା ହିସାବରେ କାମ କରିବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ । ଏହା ଜରୁରୀ ନୁହେଁ ଯେ ସରକାର ସବୁ ପ୍ରଶ୍ନର ଉତ୍ତର ଦେବେ ।