ଭୁୁବନେଶ୍ୱର: ୱାକଫ ବିଲ୍ ପ୍ରସଙ୍ଗରେ ବିଜେଡି ଏବେ ଦୁଇ ଫାଳ । ଗୋଟିଏ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଭିକେ ପାଣ୍ଡିଆନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ୱାକଫ ବିଲ୍ ଭୋଟିଂ ପୂର୍ବରୁ ଦଳର ନିଷ୍ପତ୍ତି ବଦଳିବା ନେଇ ସାଂସଦ ଦେବାଶିଷ ସାମନ୍ତରାୟ ସିଧାସଳଖ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି । ପାଣ୍ଡିଆନଙ୍କୁ ଏମିତି ଟାର୍ଗେଟ୍ କରାଯାଉଥିବା ଦେଖି ବିଜେଡି ଦଳର ୪ ସାଂସଦ ସହ୍ୟ କରି ପାରି ନ ଥିଲେ । ତୁରନ୍ତ ସାମାଜିକ ଗଣମାଧ୍ୟମରେ ନିଜ ଦଳର ସହଯୋଗୀ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଗଲେ । ଆଉ ପାଣ୍ଡିଆନଙ୍କ ସପକ୍ଷରେ ଏହି ୪ ସାଂସଦଙ୍କ ପୋଷ୍ଟ ପ୍ରସଙ୍ଗରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା ।
ପଦ୍ମନାଭ କହିଛନ୍ତି, ଯାହା ସବୁ ହେଉଛି ତାହା ଦଳ ପାଇଁ କ୍ଷତିକାରକ । ଏହା ଉପରେ ଶୀଘ୍ରେ ଯବନିକା ପଡିବା ଉଚିତ୍ । ପାଣ୍ଡିଆନ ସନ୍ନ୍ୟାସ ନେଇଛନ୍ତି, ତାଙ୍କ ଚର୍ଚ୍ଚା କରି ଦଳର କ୍ଷତି କରୁଛନ୍ତି । ସଭାପତି ନବୀନ ପଟ୍ଟନାୟକ ଶୀଘ୍ର ଏହା ଉପରେ ଯବନିକା ପକାଇବା ଉଚିତ୍ । ଅଧିକ ବିଳମ୍ବ କରିବା ଠିକ୍ ନୁହେଁ । ଯେତେ ବିଳମ୍ବ ହେବ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିବ ।
ଏହା ପୂର୍ବରୁ ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ କହିଛନ୍ତି, ୱାକଫ ବିଲ୍ ଉପରେ ଶେଷ ମୁହୂର୍ତ୍ତରେ ଦଳର ନିଷ୍ପତ୍ତି ବଦଳିବା ଠିକ୍ ନୁହେଁ । ଏହି ଘଟଣାରେ ଦଳର ସ୍ପଷ୍ଟତାର ଅଭାବ ରହିଛି । ଶୀଘ୍ର ସଭାପତି ସବୁ ବରିଷ୍ଠ ନେତାଙ୍କୁ ଡକାଇ ଆଲୋଚନା କରି ଏହା ଉପରେ ବିରାମ ଲଗାନ୍ତୁ । ନଚେତ୍ ଦଳର ସ୍ଥିତି ଖରାପ ହେବାରେ ଲାଗିବ । ସେଥିପାଇଁ ନବୀନଙ୍କୁ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।
ରାଜ୍ୟସଭାର ୪ ସାଂସଦ ଓ କଟକ ମେୟର ସୁବାସ ସିଂ ପାଣ୍ଡିଆନଙ୍କ ପସକ୍ଷରେ ଯେତେ ଓକିଲାତି କଲେ ମଧ୍ୟ ତାହା ଲୋକଙ୍କୁ ଛୁଇଁ ପାରୁନି । ଓଲଟା ପ୍ରଶ୍ନ ଉଠୁଛି ଯଦି ପାଣ୍ଡିଆନ ଦଳରେ କେହି ନୁହନ୍ତି, ତେବେ ତାଙ୍କୁ ସମାଲୋଚନା କଲେ ଏହି ନେତାମାନେ କାହିଁକି ଚିହିଁକି ଉଠୁଛନ୍ତି ବୋଲି ପ୍ରଶ୍ନ ଉଠୁଛି ।