ଭୁୁବନେଶ୍ୱର: ଭକ୍ତ ଦାସ ରାଜ୍ୟ କଂଗ୍ରେସର ସଭାପତି ହେବା ପରଠୁ ସକ୍ରିୟ ହୋଇ ଉଠିଛି ରାଜ୍ୟ କଂଗ୍ରେସ । ଦଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭକ୍ତ ଦାସ । ଦଳକୁ ଏକାଠି କରି କେମିତି ଲୋକଙ୍କ ନିକଟତର ହେବ ସେ ନେଇ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି । ଫେବୃଆରୀ ୧୮ରେ ଭୁବନେଶ୍ୱରରୁ କଂଗ୍ରେସର ଏକ ସଂକଳ୍ପ ପଦଯାତ୍ରା ଆରମ୍ଭ କରିବ ।
ଭୁବନେଶ୍ୱର ବିମାନ ବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ପଦଯାତ୍ରା ଯିବ । ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଯିବ ସଂକଳ୍ପ ପଦଯାତ୍ରା । ସଫଳ ଓଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା ଲକ୍ଷ୍ୟରେ ଏହି ପଦଯାତ୍ରା କରାଯିବ । ପଦଯାତ୍ରାରେ ସାମିଲ ହେବା ପାଇଁ ପିସିସି ସଭାପତି ଭକ୍ତ ଦାସ ଅପିଲ୍ କରିଛନ୍ତି ।
ସଂକଳ୍ପ ପଦଯାତ୍ରା ସଂଯୋଜନା ଲାଗି ଏକ କମିଟି ଗଠନ କରାଯାଇଛି । ଏଥିରେ ବରିଷ୍ଠ ଓ ଯୁବ ନେତୃତ୍ୱଙ୍କୁ ସ୍ଥାନ ଦିଆଯାଇଛି । ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି । ଭକ୍ତ ସଭାପତି ହେବା ପେରେ ରାଜ୍ୟ କଂଗ୍ରେସ ଏବେ ଆକ୍ଟିଭ ମୋଡକୁ ଆସିଛି । ଦୀର୍ଘ ସାତ ମାସ ପରେ କଂଗ୍ରେସକୁ ଭକ୍ତଙ୍କ ରୂପେ ନୂଆ ମୁଖିଆ ମିଳିଛି ।
ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ସଭାପତି ହେବା ପରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କଂଗ୍ରେସରେ ଯେତେ ସବୁ ନେତା ଓ କର୍ମୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା ତାହା ପ୍ରତ୍ୟାହାର କରାଯାଇଛି । ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯାଇଛି ।