ସିଲିଗୁଡ଼ି: ଉତ୍ତର ପଶ୍ଚିମବଙ୍ଗ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଜଳପାଇଗୁଡ଼ିରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଆସାମରୁ ପଶ୍ଚିମବଙ୍ଗର ଲୋକମାନଙ୍କୁ ଏନ୍ଆରସି ନୋଟିସ୍ ପଠାଇବା, ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଯାତନା ନେଇ କଡ଼ା ଟାର୍ଗେଟ କରିଛନ୍ତି।
ମମତା କହିଥିଲେ ଯେ ଗତ ଥର ସଘନ ଭୋଟର ସଂଶୋଧନ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ଲାଗିଥିଲା। ଏବେ କୁହାଯାଉଛି ଯେ ଏହା ଦୁଇରୁ ତିନି ମାସ ମଧ୍ୟରେ କରାଯିବ। ଏହା କିପରି ସମ୍ଭବ?
ମୁଖ୍ୟମନ୍ତ୍ରୀ ମମତା କହିଥିଲେ ଯେ ପଶ୍ଚିମବଙ୍ଗକୁ ବଙ୍ଗଳା ଚଲାଇବ’। ଦେଶର କିଛି ସ୍ଥାନରେ ବଙ୍ଗଳାର ପ୍ରବାସୀ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ କଡ଼ା ମତ ରଖି ସେ କହିଥିଲେ ଯେ ଦେଖାଯାଉ କାହାର କେତେ ସାହସ ଅଛି, ସେ କେତେ ନିର୍ଯାତନା କରିପାରିବ?
ଅଭିଯୋଗ କରାଯାଇଛି ଯେ ଅନ୍ୟ ରାଜ୍ୟରେ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ 'ବାଂଲାଦେଶୀ' ବୋଲି କହି ହଇରାଣ କରାଯାଉଛି। ସେମାନଙ୍କୁ ବଳପୂର୍ବକ ବାଂଲାଦେଶ ପଠାଇବାକୁ ଚେଷ୍ଟା କରାଯାଉଛି। ଏହାକୁ ସହ୍ୟ କରାଯିବ ନାହିଁ। ସେ କହିଛନ୍ତି ଯେ ଉତ୍ତର ପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ବିହାର ଏବଂ ମଧ୍ୟପ୍ରଦେଶରେ ବଙ୍ଗଳାରୁ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଯାତନାର ମାମଲା ସାମ୍ନାକୁ ଆସୁଛି। କିନ୍ତୁ ଆମେ ବଙ୍ଗଳାରେ ରହୁଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ନିର୍ଯାତନା ଦେଉନାହୁଁ, ଆମେ ସେମାନଙ୍କୁ ପ୍ରେମ ଦେଉଛୁ।
ଅଧିକ ପଢ଼ନ୍ତୁ: ନେପାଳର ପ୍ରଧାନମନ୍ତ୍ରୀ ପଦକୁ କାହିଁକି ପ୍ରତ୍ୟାଖ୍ୟାନ କଲେ ବାଲେନ୍ଦ୍ର