କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିକୁ ବଡ ଝଟକା ଲାଗିଛି । ଟିଏମସିର ରାଜ୍ୟସଭା ସାଂସଦ ବେନଜୀର ନୁର ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଉଲ୍ଲେଖନୀୟ ମୌସମ ନୂର କଂଗ୍ରେସରୁ ଟିଏମସିରେ ମିଶିଥିଲେ । ଏମିତିରେ ତାଙ୍କର ଗୃହ ପ୍ରତ୍ୟାବର୍ତ୍ତନ ଘଟିଛି । ମୌସମ ନୂର ମାଲଦାର ଖାନ ଚୌଧୁରୀ ପରିବାରର । ତେଣୁ କଂଗ୍ରେସକୁ ସଂଗଠନାତ୍ମକ ଭାବେ ମଜବୁତି ମିଳିବ ବୋଲି କୁହାଯାଉଛି । ଏହା ସହିତ ମୁସଲିମ ଇଲାକାରେ କଂଗ୍ରେସର ଉତ୍ସାହ ବଢିବ ।
ନୂର କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ନେତା ଜୟରାମ ରମେଶ, ପାର୍ଟି ସାଧାରଣ ସଂପାଦକ ତଥା ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ଅହମ୍ମଦ ମୀର ଓ ପ୍ରଦେଶ କଂଗ୍ରେସର ସଭାପତି ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି । ନୂରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ବର୍ଷ ଏପ୍ରିଲରେ ସରୁଛି । ତାଙ୍କର ପଶ୍ଚିମବଙ୍ଗ ବିଧାନସଭାରେ ମାଲଦାରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି । ସେ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ପାର୍ଟିରୁ ମାଲଦାରୁ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
ସେ ୨୦୧୯ରେ କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ । ଟିଏମସି ଟିକେଟରୁ ନିର୍ବାଚନ ଲଢିଥିଲେ ହେଁ ପରାଜିତ ହୋଇଥିଲେ । ଏହା ପରେ ପାର୍ଟି ତାଙ୍କୁ ୨୦୨୦ରେ ରାଜ୍ୟସଭାକୁ ମନୋନୀତ କରିଥିଲା । ମୌସମ ନୂର ଏବିଏ ଗନି ଖାନ ଚୌଧୁରୀଙ୍କ ଝିଅ । ମୌସମ କହିଛନ୍ତି ଗନି ଖାନ ଚୌଧୁରୀଙ୍କ ପରିବାର ଏବେ କଂଗ୍ରେସ ପାଇଁ କାମ କରିବ ।