ପାଟକୁରା: ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳ ବିରୋଧୀ କାର୍ଯ୍ୟପାଇଁ ଆଜି ଦୁଇଜଣ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଦଳରୁ ନିଲମ୍ବନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା କହିଛନ୍ତି।
ବିଜେଡ଼ିରୁ ନିଲମ୍ବନ ଘଟଣାରେ ଅରବିନ୍ଦ କହିଛନ୍ତି, 'କାହିଁକି ନିଲମ୍ବନ ହେଲି ଜଣାନାହିଁ, ତେବେ ଘଟଣା ବିଷୟରେ ମୁଁ ପ୍ରଥମେ ଗଣମାଧ୍ୟମରୁ ଜାଣିଲି। ସେ କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା ମୁଁ ଜାଣିନି। ଦଳ ତରଫରୁ ଏପର୍ଯ୍ୟନ୍ତ ମୋତେ କିଛି ସୂଚନା ଦିଆ ଯାଇନାହିଁ। ନିଲମ୍ବନ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିଲି। ତେବେ ଦଳକୁ ଅସୁବିଧାରେ ପକାଇଲା ଭଳି କୌଣସି କାର୍ଯ୍ୟ କରିନାହିଁ। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପାଇଁ କାମ କରୁଥିଲି।
ସେହିପରି ମେଳି ବାବଦରେ ଉତ୍ତର ରଖି ସେ କହିଛନ୍ତି ଯେ, ମୁଁ କୌଣସି ମେଳିକୁ କିମ୍ବା ଭୋଜିକୁ ଯାଇନାହିଁ । ନିଲମ୍ବନର କାରଣ ବାପା ବିଜୟ ମହାପାତ୍ର କି ବୋଲି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, ମୋ ବାପା ସ୍ୱତନ୍ତ୍ର ଓ ବରିଷ୍ଠ ନେତା। ସେ କଣ କରିବେ ତାଙ୍କ କଥା। ତାଙ୍କୁ ବିବାଦ ଭିତରକୁ ଟାଣିବାକୁ ଚାହୁଁନି ବୋଲି କହିଲେ ଅରବିନ୍ଦ। 5T ବିରୋଧରେ ମନ୍ତବ୍ୟ ପ୍ରସଙ୍ଗରେ ଉତ୍ତର ଦେଇ କହିଛନ୍ତି, ମୁଁ ସେଭଳି କିଛି କରିନାହିଁ। ବିଜେଡିରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ।
ଅଧିକ ପଢନ୍ତୁ: ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ; ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବିତ କଲେ ସୁପ୍ରିମୋ