ହରିୟାଣା: ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଲିଙ୍କଡିନ୍ ପୋଷ୍ଟ ବେଶ୍ ଭାଇରାଲ ହେଉଛି। ପୋଷ୍ଟଟି ଗୁରୁଗାଁଓର ମୟଙ୍କ ଅଗ୍ରୱାଲ ନାମକ ଜଣେ ଜଣେ ସିଇଓ ଏହାକୁ ଶେୟାର କରିଛନ୍ତି। ଏଥିରେ ସେ ଏକ ଫୁଡ଼ ଡେଲିଭରୀ ବୟ ଫଟୋ ଶେୟାର କରିଛନ୍ତି। ଯେଉଁ ଫଟୋରେ ଫୁଡ ଡେଲିଭରୀ ବଏଙ୍କ ସାଥିରେ ଏକ କୁନି ଝିଅ ବି ରହିଛି। ତେବେ ଫଟୋ ଞୋର ସହ ସେ ଏଥିରେ ତାଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି,ଯାହା ସମସ୍ତଙ୍କୁ ଭାବବିହ୍ୱଳ କରିଛି।
ମୟଙ୍କ କହିବାନୁଯାୟୀ ସେ ସ୍ୱିଗିରୁ ଖାଦ୍ୟ ଅର୍ଡର କରିଥିଲେ। ଡେଲିଭରି ଏଜେଣ୍ଟଙ୍କ ସହ କଥା ହେବା ବେଳେ ସେ ପାଖରେ ଏକ କୁନି ଝିଅର ସ୍ୱର ଶୁଣିବାକୁ ପାଇଲେ। ଆଉ ଖାଦ୍ୟ ନେବାକୁ ଆସିବା ବେଳେ ଦେଖିଲେ ଡେଲିଭରି ବୟଙ୍କ ଗାଡ଼ିର ଆଗରେ ଏକ କୁନି ଝିଅ ବସିଛି। ତେବେ ସେଇ ଡେଲିବରି ବୟଙ୍କ ନାଁ ହେଉଛି ପଙ୍କଜ। ପଙ୍କଜଙ୍କ କାହାଣୀ ଅତି ସଂଘର୍ଷ ମୟ ବୋଲି କଥାବାର୍ତ୍ତା ଜରିଆରେ ଜାଣିବାକୁ ପାଇଥିଲେ ଖାଦ୍ୟ ମଗାଇଥିବା ସିଇଓ ମୟଙ୍କ ଅଗ୍ରୱାଲ।
ତେବେ ଝିଅକୁ ସାଙ୍ଗରେ ନେଇ ଡେଲିଭରି କରିବାର କାରଣ ପଚରାଯିବାରୁ ପଙ୍କଜ କହିଛନ୍ତି, ପ୍ରସବ ସମୟରେ ଶିଶୁ ଟିର ମାଙ୍କ ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କର ଗୋଟେ ପୁଅ ଅଛି ଯିଏ କି ସନ୍ଧ୍ୟାରେ ପଢିବାକୁ କ୍ଲାସକୁ ଚାଲିଯାଏ। ଘରେ କେହି ରହୁନଥିବାରୁ ସେ ଛୁଆକୁ ସାଙ୍ଗରେ ଧରି ଅର୍ଡର୍ ଡେଲିଭରୀ କରୁଛନ୍ତି।
ତେବେ କର୍ମମୟ ସଂଘର୍ଷ ମଧ୍ୟରେ ଜଣେ ପିତାର ସ୍ନେହକୁ ଦେଖି ଲୋକମାନେ ଭାବୁକ ହୋଇପଡ଼ିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର ମାନଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକେ ପଙ୍କଜଙ୍କ ଭଳି କାର୍ଯ୍ୟକୁ ପ୍ରଂଶସା କରିଥିବା ବେଳେ କିଛି ଲୋକେ ପିଲାର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସୋସିଆଲ ମିଡ଼ିଆରେ କିଛି ଲୋକେ ସିଙ୍ଗଲ ପ୍ୟାରେଣ୍ଟଙ୍କ ପାଇଁ ବ୍ୟବସ୍ଥା କରିବାକୁ କମ୍ପାନୀକୁ କହିଛନ୍ତି।