ନୂଆଦିଲ୍ଲୀ: ବିହାରରେ ଏସଆଇଆରକୁ ସୁପ୍ରିମକୋର୍ଟ ଆଂଶିକ ରାୟ ଦେଇ ପାରିବେନ ନାହିଁ । ଯାହା ରାୟ ଆସିବ ତାହା ସମଗ୍ର ଦେଶ ପାଇଁ ଲାଗୁ ହେବ । ଯଦି ଏସଆଇଆରରେ ନିର୍ବାଚନ ଆୟୋଗଙ୍କ କୌଣସି ଭୁଲ ଦେଖାଗଲେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ରଦ୍ଦ କରାଯିବ ବୋଲି ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି । ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୭ ତାରିଖକୁ ଧାର୍ଯ୍ୟ ହୋଇଛି ।
ସୁପ୍ରିମକୋର୍ଟ ବିହାର ଏସଆଇଆର୍ ଉପରେ ସୋମବାର ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଳା ବାଗଚୀଙ୍କ ଖଣ୍ଡପୀଠ ସୋମବାର ଶୁଣାଣି କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ଏହି ଆବେଦନରେ କୌଣସି ଆଂଶିକ ରାୟ ଆସିବ ନାହିଁ । ଯାହା ବି ରାୟ ଆସିବ ତାହା ସମଗ୍ର ଦେଶରେ ଲାଗୁ ହେବ । ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ବ୍ୟବସ୍ଥାରେ ବିହାରରେ ଏସଆଇଆର୍ ନିୟମ ଲାଗୁ କରିଛନ୍ତି । ଯଦି ଏଥିରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ଭୁଲ ନଜର ଆସେ ତେବେ ଏହାକୁ ତୁରନ୍ତ ରଦ୍ଦ କରାଯିବ ବୋଲି କୋର୍ଟ କହିଛନ୍ତି । ଏହା ସହ ଖଣ୍ଡପୀଠ ଅକ୍ଟୋବର ୧ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଁ ଚୂଡ଼ାନ୍ତ ରାୟ ଦେବାକୁ ଆସିଥିବା ଯାଚିକାକୁ ଖାରଜ କରିଛନ୍ତି । ଦଶହରା ଛୁଟିରେ ସେପ୍ଟେମ୍ବର ୨୮ରୁ କୋର୍ଟ ଗୋଟିଏ ସପ୍ତାହ ପାଇଁ ବନ୍ଦ ରହୁଛି । ତେଣୁ ଚୂଡ଼ାନ୍ତ ରାୟ ଅକ୍ଟୋବର ୭ ତାରିଖରେ ଆସିବ ।
କୋର୍ଟ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ମାମଲାର ସମାଧାନରେ କୌଣସି ପ୍ରଭାବ ପକାଇବ ନାହିଁ । ଯଦି କୌଣସି ବେଆଇନ୍ କାର୍ଯ୍ୟ ହୁଏ, ତେବେ ଚୂଡ଼ାନ୍ତ ପ୍ରକାଶନ ହେଉ ନା କାହିଁକି, ଏହି ମାମଲାରେ ହସ୍ତକ୍ଷେପ କରିବେ ।