ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଟାରିଫରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଭାରତର ଉପକୂଳବର୍ତ୍ତୀ ରାଜ୍ୟ । ବିଶେଷ କରି ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀଙ୍କ ମଧ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ହେଉଥିବା ଝିଙ୍ଗା ମତ୍ସ୍ୟର ରପ୍ତାନୀ ପୂରା ଅଧା ହ୍ରାସ ପାଇଛି । ଏହି କାରଣରୁ ଆନୁମାନିକ ୨୫ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ଉଚ୍ଚ ଶୁଳ୍କ କାରଣରୁ ଝିଙ୍ଗା ରପ୍ତାନୀର ୫୦ ପ୍ରତିଶତ କ୍ୟାନସଲ ହୋଇ ସାରିଛି । ରାଜ୍ୟ ସରକାର କହିଛନ୍ତି ଯେ, ଯେଉଁ ଦୁଇ ହଜାର କଣ୍ଟେନର ରପ୍ତାନୀ କରାଯାଉଛି, ତା ଉପରେ ୬୦୦ କୋଟିର ଟ୍ୟାକ୍ସ ବୋଝ ରହିଛି ।
ମାଛ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସମସ୍ୟାକୁ ଦେଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ୍ କରିଛନ୍ତି । ଟ୍ରମ୍ପଙ୍କ ଦ୍ୱାରା ପୂର୍ବରୁ ଘୋଷିତ ୨୫ ପ୍ରତିଶତର ରେସିପ୍ରୋକାଲ ଟାରିଫ ବ୍ୟତୀତ ରୁଷ ତେଲ ଆମଦାନୀ କାରଣରୁ ଜରିମାନା ସ୍ୱରୂପ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଯାଇଛି । ଏହା ବାଦ୍ ୫.୭୬ର ପ୍ରତିପୂରକ ଶୁଳ୍କ ଏବଂ ୩.୯୬ ପ୍ରତିଶତର ଆଣ୍ଟି ଡପିଙ୍ଗ ଶୁଳ୍କ ଘୋଷଣା ପରେ ମୋଟ୍ ଟାରିଫ ୫୯.୭୨ ପ୍ରତିଶତରେ ପହଞ୍ଚି ଯାଉଛି ।
ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରଙ୍କ ତିନି ବିଭାଗର ମନ୍ତ୍ରୀଙ୍କୁ ଚିଠି ଲେଖି ଆନ୍ଧ୍ର ପ୍ରଦେଶର ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କୁ ସହାୟତା ଦେବାକୁ ଅପିଲ୍ କରିଛନ୍ତି । ଆମେରିକା ଦ୍ୱାରା ଲଗାଯାଇଥିବା ଟାରିଫ କାରଣରୁ ଏହି କୃଷକଙ୍କୁ ଗୁରୁତର ସଙ୍କଟର ସାମ୍ନା କରିବାକୁ ପଡୁଛି ।
ନାଇଡୁ କେନ୍ଦ୍ରକୁ ଜିଏସଟିରେ ଆଶ୍ୱସ୍ତି ଦେବା ଏବଂ ରାଜ୍ୟ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ପ୍ୟାକେଜ ଦେବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ମତ୍ସ୍ୟ ଉତ୍ପାଦନରେ ଘରୋଇ ଚାହିଦା ବଢାଇବା ଉପରେ ଜୋର ଦେବାକୁ ଅନୁରୋଧ କରିଛନ୍ତି । ସେ ଚିଠି ଲେଖିଥିବା ମନ୍ତ୍ରୀଙ୍କ ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ଓ ମତ୍ସ୍ୟ ପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ସାମିଲ ।
Also read: ପାଗ ବଦଳିଗଲା: ଜମ୍ମୁ କଶ୍ମୀରର ଏକାଧିକ ସ୍ଥାନରେ ଗ୍ରୀଷ୍ମ ଲହରୀ ଭଳି ପରିସ୍ଥିତି