ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉପସଚିବ ନବଜ୍ୟୋତ ସିଂଙ୍କ ମୃତ୍ୟୁ ମାମଲାରେ ବିଏମଡବ୍ଲ୍ୟୁ କାର ଚାଳକଙ୍କୁ ଗିରଫ କରାଯାଇଛି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଗୁରୁଗ୍ରାମର ମହିଳା ଚାଳକ ଗଗନପ୍ରୀତ କୌରଙ୍କୁ ଗିରଫ କରାଯାଇଛି ।
ଅନ୍ୟପକ୍ଷରେ ଉପସଚିବ ନବଜ୍ୟୋତଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏଫ୍ଆଇଆର୍ ହେବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ନବଜ୍ୟୋତଙ୍କ ପତ୍ନୀ ସନ୍ଦୀପ କୌର ପୋଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ନିଶ୍ୱାସ ଚାଲୁଥିଲା । ସେ ଦୁର୍ଘଟଣା ଘଟାଇଥିବା ଦମ୍ପତ୍ତିଙ୍କୁ ବାରମ୍ବାର ଗୁହାରୀ କରିଥିଲେ ଯେ ତାଙ୍କୁ ନିକଟସ୍ଥ ମେଡ଼ିକାଲ ନେବାକୁ । କିନ୍ତୁ ଜାଣିଶୁଣି ୨୦ କିଲୋମିଟର ଦୂର ମେଡ଼ିକାଲକୁ ନେଇ ଯାଇଥିଲେ । ଏକ ମାଲବାହୀ ଗାଡ଼ିରେ ତାଙ୍କୁ ନିଆଯାଇଥିଲା । ଏହା ପରେ ମଧ୍ୟ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହୋଇନଥିଲା । କିଛି ସମୟ ପରେ ଡାକ୍ତର ଆସି ମୃତ ଘୋଷଣା କରିଥିଲେ ।
ନବଜ୍ୟୋତ ସିଂ ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକରେ କାର୍ଯ୍ୟରତ ଥିବାବେଳେ ହରିନଗରରେ ରହୁଥିଲେ । ଗତକାଲି ଅପରାହ୍ନରେ ଉଭୟ ପତି ପତ୍ନୀ କୌଣସି କାମରେ ଏକ ବାଇକରେ ଜିଟିବି ନଗର ଯାଇଥିଲେ । ଏକ ବିଏମଡବ୍ଲ୍ୟୁ କାର ଉପସଚିବଙ୍କ ବାଇକକୁ ଧକ୍କା ଦେଇଥିଲା । ଉଭୟ ପତିପତ୍ନୀ ଚେତା ଶୂନ୍ୟ ହୋଇପଡ଼ିଥିଲେ । ସେମାନଙ୍କୁ ଜିଟିପି ନଗରର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ଉପସଚିବ ନବଜ୍ୟୋତ ସିଂଙ୍କୁ ମୃତ୍ୟ ଘୋଷଣା କରିଥିଲେ । ଏହା ସହିତ କାର ଚଳାଉଥିବା ମହିଳା ଏବଂ ତାଙ୍କ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେ କାରରେ ତାଙ୍କର ଦୁଇ ପିଲା ମଧ୍ୟ ବସିଥିଲେ ।