ନୂଆଦିଲ୍ଲୀ: ଆଜିକାଲି ବୃନ୍ଦାବନର ସନ୍ଥ ଶ୍ରୀ ପ୍ରେମାନନ୍ଦ ମହାରାଜ ଅସୁସ୍ଥ ଥିବା ବେଶ ଚର୍ଚ୍ଚାରେ ରହିଛି । କିଏ କହୁଛି ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଛି ତ ଆଉ କିଏ କହୁଛି ମହାରାଜଙ୍କ ହାତ ପାଦ ଫୁଲି ଯାଇଛି । ତେବେ ପ୍ରେମାନନ୍ଦଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆସୁଥିବା ମିଥ୍ୟା ଖବର ଉପରେ ରୋକ୍ ଲାଗିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।
ସନ୍ଥ ଶ୍ରୀ ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରସାରିତ ହୋଇଥିଲା । ଏହି ଗୁଜବ ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା, ଯାହା ଫଳରେ ମଥୁରା ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା । ମଥୁରା ପୋଲିସ ଏବଂ ଆଶ୍ରମ ଉଭୟ ଏହି ଭିତ୍ତିହୀନ ଖବରକୁ ଖଣ୍ଡନ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ମହାରାଜଙ୍କ ରାତ୍ରିକାଳୀନ ପଦଯାତ୍ରା ସ୍ଥଗିତ ରହିବା ଖବର ପରେ, ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବା ଭିଡ଼ିଓ ପ୍ରସାରିତ ହୋଇଥିଲା । ଯେଉଁଥିରେ ପ୍ରେମାନନ୍ଦ ମହାରାଜ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ଅନୁଗାମୀମାନେ ଭିଡ଼ିଓକୁ ଦେଖିବା ପରେ ଚିନ୍ତିତ ହୋଇପଡ଼ିଥିଲେ । ଗୁରୁଜୀ ଡାଏଲିସିସ୍ କରୁଛନ୍ତି କିମ୍ବା ହସ୍ପିଟାଲରେ ଅଛନ୍ତି ବୋଲି ଅନୁମାନ କରାଯାଉଥିଲା ।
କିନ୍ତୁ ପୋଲିସର ହସ୍ତକ୍ଷେପ ପରେ ସୋସିଆଲ୍ ମିଡ଼ିଆରେ ପ୍ରସାରିତ ଭିଡ଼ିଓ ଏକ ପୁରୁଣା ଭିଡ଼ିଓ ବୋଲି ସ୍ପଷ୍ଟ ହୋଇଛି । ମଥୁରା ଏସ୍ଏସପିଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ଯେ ପ୍ରେମାନନ୍ଦ ମହାରାଜ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ମହାରାଜ ନିଜେ ଭକ୍ତମାନଙ୍କୁ ଚିନ୍ତା ନକରିବାକୁ ଏବଂ ରାଧା ରାଣୀଙ୍କ ନାମ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ।