ନୂଆଦିଲ୍ଲୀ: ହରିୟାଣାରୁ ଫରିଦାବାଦ ପରେ ଏବେ ପଞ୍ଜାବ ଲୁଧିଆନାରେ ଆଉ ଏକ ଆତଙ୍କୀ ମଡ୍ୟୁଲକୁ ଠାବ କରାଯାଇଛି । ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ଦ୍ୱାରା ପରିଚାଳିତ ମଡ୍ୟୁଲ୍କୁ ଧ୍ୱଂସ କରିବାରେ ସଫଳ ହୋଇଛି ଲୁଧିଆନା କମିଶନରେଟ୍ ପୋଲିସ । ଲୁଧିଆନାରୁ ଆଜି ୧୦ ଜଣ ଆଇଏସ୍ଆଇ ସଦସ୍ୟକୁ ଗିରଫ କରାଯାଇଛି । ସେମାନେ ମଧ୍ୟ ଏକ ବଡ଼ ଧରଣର ହମଲା ପାଇଁ ଷଡ଼ଯନ୍ତ୍ର ରଚୁଥିବା କହିଛନ୍ତି ପଞ୍ଜାବ ଆରକ୍ଷୀ ମହାନିର୍ଦ୍ଦେଶକ ଗୌରବ ଯାଦବ ।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ବିଦେଶୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲେ । ଗିରଫ ସମୟରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ଗ୍ରେନେଡ୍ ରହିଛି । ମ୍ୟାଲେସିଆର ତିନି ଜଣ କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ ପାକିସ୍ତାନ-ଭିତ୍ତିକ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ରହି ଏକ ଗ୍ରେନେଡ୍ ଉଠାଇବା ଏବଂ ବିତରଣ କରିବା କାମ କରୁଥିଲେ । ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଜନବସତି ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ କରିବା ପାଇଁ ଏମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ରାଜ୍ୟରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଞ୍ଜାବ ଆତଙ୍କବାଦକୁ ଦୂର କରିବା ଏବଂ ସୀମାପାର ଆତଙ୍କବାଦୀ ନେଟୱାର୍କକୁ ଭାଙ୍ଗିବା ପାଇଁ ପ୍ରତିବଦ୍ଧ ବୋଲି ପଞ୍ଜାବ ପୋଲିସ କହିଛି ।