ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (NAAC) ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନିଜ ୱେବ୍ ସାଇଟ୍ ରେ ଭୁଲ ମାନ୍ୟତା ପ୍ରଦର୍ଶନ କରିବା ଅଭିଯୋଗରେ ନାକ୍ ବିଶ୍ୱବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲରେ 3 ଜଣ ଡାକ୍ତର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡ଼ିବା ପରେ ଏବେ ଏହି ସଂସ୍ଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏବେ ଏହି ବିଶ୍ୱବିଦ୍ୟାଳୟରେ ଅନେକ ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ ବିଶ୍ୱବିଦ୍ୟାଳୟ ତାର ୱେବ୍ ସାଇଟ୍ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । ସେଥିପାଇଁ ନାକ୍ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ୨୩ ମାର୍ଚ୍ଚ ୨୦୧୩ ରୁ ୨୨ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଅଲ୍-ଫଲାହ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ନାକ୍ ଦ୍ୱାରା 'ଏ' ଗ୍ରେଡ୍ ସ୍ୱୀକୃତି ପାଇଥିଲା । ୨୭ ମାର୍ଚ୍ଚ ୨୦୧୧ ରୁ ୨୬ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷା ବିଭାଗ, ଅଲ୍-ଫଲାହ ଶିକ୍ଷା ଏବଂ ତାଲିମ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ 'ଏ' ଗ୍ରେଡ୍ ସହିତ ନାକ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ କଲେଜ ଅଟେ। ଏହି ଦୁଇଟି କଲେଜର ମାନ୍ୟତା ଅବଧି ଶେଷ ହୋଇସାରିଛି । ଦୁଇଟି କଲେଜ ଏପର୍ଯ୍ୟନ୍ତ ନାକ୍ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ଏବଂ ମାନ୍ୟତା (A&A) ପ୍ରକ୍ରିୟା ପାଇଁ ସ୍ୱେଚ୍ଛାକୃତ ଭାବରେ ଯୋଗ ଦେଇନାହାଁନ୍ତି ବୋଲି ନାକ୍ ନୋଟିସରେ କହିଛି ।
ସେହିପରି ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ନା କେବେ ନାକ୍ ମାନ୍ୟତା ପ୍ରାପ୍ତ କରିଛି ନା କେବେ ଏ ଏବଂ ଏ ପାଇଁ ଭାଗ ନେଇଛି । କିନ୍ତୁ ନିଜ ୱେବ୍ ସାଇଟ୍ ରେ ସାର୍ବଜନୀନଭାବେ ପ୍ରଦର୍ଶନ କରାଯାଇଛି କି ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଅଲ୍-ଫଲାହ ଚାରିଟେବଲ୍ ଟ୍ରଷ୍ଟର ଏକ ଅଂଶ ଅଟେ । ଯାହାକି ଗୋଟିଏ କ୍ୟାମସରେ ତିନୋଟି କଲେଜ ଚାଲୁଛି । ଅଲ୍ ଫଲାହ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଯାହା ୧୯୯୭ରେ ନାକ୍ ଗ୍ରେଡ୍-ଏ ମାନ୍ୟତା ପାଇଛି । ସେହିପରି ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବ୍ରାଉନ୍ ହିଲ୍ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଏବଂ ୨୦୦୬ରେ ନାକ୍ ଗ୍ରେଡ୍-ଏ ମାନ୍ୟତା ପାଇଥିବା ଅଲ୍-ଫଲାହ ସ୍କୁଲ ଅଫ୍ ଏଜୁକେସନ୍ ଆଣ୍ଡ୍ ଟ୍ରେନିଂ । କିନ୍ତୁ ଏହି ତିନୋଟି କଲେଜର ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହା କେବଳ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଭ୍ରମିତ କରିବାକୁ ତଥ୍ୟ ଦିଆଯାଇଛି । ଏପରି ଭ୍ରମାତ୍ମକ ତଥ୍ୟ ଦେଇଥିବାରୁ ନାକ୍ ପକ୍ଷରୁ ନୋଟିସ୍ ଜାରି ହୋଇଛି ।
ଏନ୍ଆଇଏ ଏହି ବିଶ୍ୱବିଦ୍ୟାଳୟରେ ଚଢ଼ଉ କରିଛି । ବିଶ୍ୱବିଦ୍ୟାଳୟର ରୁମ୍ ନଂ ୪ ଏବଂ ରୁମ୍ ନଂ ୧୩ରୁ କିଛି ଡାଏରୀ ଏବଂ ସନ୍ଦିଗ୍ଧ ସାମଗ୍ରୀ ଜବତ କରିଛି । ଉକ୍ତ ଡାଏରୀ ଗୁଡ଼ିକରେ କିଛି କୋଡ୍ ମଧ୍ୟ ଲେଖାଯାଇଛି । ଯାହାକୁ ଯାଞ୍ଚ କରାଯାଉଛି ।