ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର ଦିଲ୍ଲୀ ବିସ୍ଫୋରଣକୁ ଏକ ଆତଙ୍କବାଦୀ ଘଟଣା ଭାବେ ବିଚେଚନା କରିଛନ୍ତି। ଏହାର ପ୍ରାୟ ୨୪ ଘଣ୍ଟା ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣର ଅପରାଧୀମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏହି ଦଣ୍ଡ ବିଶ୍ୱକୁ ଏକ ବାର୍ତ୍ତା ଦେବ ଯେ ଆଉ କେହି ଏପରି ଆକ୍ରମଣ କରିବାକୁ କେହି ଆଉ ସାହସ କରିବେ ନାହିଁ। ଦୋଷୀମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ବୋଲି ଶାହ କହିଛନ୍ତି।
ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଆଗକୁ ବଢ଼ିବା ସହିତ ଦିନକୁ ଦିନ ନୂଆ ନୂଆ ଖୁଲାସା ହେବାରେ ଲଗିଛି। ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଦିଲ୍ଲୀ କାର ବିସ୍ଫୋରଣର ମେଓ୍ଵାତ ସହିତ ଲିଙ୍କ ଥିବା ଜଣା ପଡ଼ିଛି। ବିସ୍ଫୋରଣର ତଦନ୍ତ କରୁ କରୁ ଦିଲ୍ଲୀ ପୋଲିସ ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ ହରିୟାଣାର ନୁହ-ଫିରୋଜପୁର ଝିରକାର ବାସଇ ମେଓ ଗାଁରେ ପହଞ୍ଚିଥିଲା।
ଏହି ଅଞ୍ଚଳରେ ବେଆଇନ ଖଣି ଖନନରେ ଆମୋନିୟମ୍ ନାଇଟ୍ରେଟ୍ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ବାସଇ ମେଓ ଏବଂ ନାଗାଲ୍ ଗାଁରେ ଗୁପ୍ତ ଭାବରେ ବେଆଇନ ଖଣି ଖନନ କରାଯାଉଥିବା ଜଣା ପଡ଼ିଛି। ବିସ୍ଫୋରକ ପାଇଁ ଆମୋନିୟମ୍ ନାଇଟ୍ରେଟ୍ ବ୍ୟବହାର କରାଯାଉଛି। ତେଣୁ, ଏହି ସ୍ଥାନରୁ ଆମୋନିୟମ୍ ନାଇଟ୍ରେଟ୍ ସହଜରେ ମିଳିଥିବାର ସମ୍ଭାବନା ରହିଛି। ଏହି ଦିଗକୁ ତଦନ୍ତ କରିବା ପାଇଁ ତଦନ୍ତକାରୀ ସଂସ୍ଥା ଫିରୋଜପୁରର ବାସଇ ମେଓ ଗାଁରେ ପହଞ୍ଚିଥିଲେ।
ଦିଲ୍ଲୀ ବିସ୍ଫୋରଣକୁ ଏକ ଆତଙ୍କବାଦୀ ଘଟଣା ବିବେଚନା କରାଯିବା ସମ୍ପର୍କରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନାତ କହିଛନ୍ତି, ଦିଲ୍ଲୀ ବିସ୍ଫୋରଣର ୫୦ ଘଣ୍ଟା ପରେ, ମୋଦୀ ସରକାର ଶେଷରେ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ୱୀକାର କରିଛନ୍ତି। କିନ୍ତୁ ପାକିସ୍ତାନ ବିଷୟରେ ପଦୁଏ ବି କହି ନାହାନ୍ତି। ପାକିସ୍ତାନ ବିନା ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହୋଇପାରିବ କି ? ଏ ପ୍ରଶ୍ନ ଏବେ ଉଙ୍କି ମାରିଛି।
କଂଗ୍ରେସ ମୁଖପାତ୍ର କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ସରକାର କହିଥିଲେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଓ୍ଵାର ଅଫ ଆକ୍ଟ ଭାବେ ବିବେଚନା କରାଯିବ, କିନ୍ତୁ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍ ଥିବା ସତ୍ତ୍ଵେ ଏପର୍ଯ୍ୟନ୍ତ ସରକାରଙ୍କ ପ୍ରତିକ୍ରିୟା ସମ୍ପୂର୍ଣ୍ଣ ବିପରୀତ ରହିଛି। ନରେନ୍ଦ୍ର ମୋଦୀ କ’ଣ ସେତେବେଳେ ନିଜର ଭାବମୂର୍ତ୍ତି ବଢାଇବା ଉଦ୍ଦେଶ୍ୟରେ ଭାରତର ସୁରକ୍ଷା ସହିତ ସାଲିସ କରିଥିଲେ।