ନୂଆଦିଲ୍ଲୀ: ଦୀର୍ଘ ଏକ ବର୍ଷ ପରେ ମଣିପୁରରେ ରାଷ୍ଟ୍ରପତି ଶାସନକୁ ଉଚ୍ଛେଦ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରି ରାଷ୍ଟ୍ରପତି ଶାସନ ହଟାଇ ଦିଆଯାଇଥିବା ଘୋଷଣା କରିଛନ୍ତି । ରାଜ୍ୟରେ ନୂତନ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି । ଖୁବଶୀଘ୍ର ଏନଡିଏ ସମର୍ଥିତ ୱାଇ. ଖେମଚନ୍ଦ ସିଂହ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଭାରତୀୟ ଜନତା ପାର୍ଟି ୱାଇ. ଖେମଚନ୍ଦଙ୍କୁ ଏନଡିଏ ବିଧାୟକ ଦଳ ନେତାଭାବେ ଚୟନ କରିଥିବା କହିଛି । ଖେମଚନ୍ଦ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ରାଜଧାନୀ ଇମ୍ଫାଲସ୍ଥିତ ଲୋକ ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଇଛି । ମଣିପୁର ବିଜେପି ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଖେମଚନ୍ଦ ସିଂହ ଜଣେ ଅଭିଜ୍ଞ ଏବଂ ଦୂରଦର୍ଶୀ ନେତା । ମଣିପୁରରେ ଶାନ୍ତି, ବିକାଶ ଏବଂ ସୁଶାସନକୁ ଆଗକୁ ବଢ଼ାଇବା ସହିତ ରାଜ୍ୟରେ ସ୍ଥିରତା ଏବଂ ପ୍ରଗତି ନୂଆ ସମୟ ଆରମ୍ଭ ହେବ ବୋଲି ବିଜେପି କହିଛି । ମଣିପୁର ବିଧାନସଭାରେ ୬୦ ଆସନ ରହିଛି । ଏହାର କାର୍ଯ୍ୟକାଳ ଆଉ ୨୦୨୭ ପର୍ଯ୍ୟନ୍ତ ରହିଛି । ଖେମଚନ୍ଦ ୨୦୨୭ ଯାଏ ମୁଖ୍ୟମନ୍ତ୍ରୀ ରହିବେ ।
ସେହିପରି ନେଚା କିପଗେନଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି । ସେ କୁକୀ ସମାଜରୁ ଆସିଛନ୍ତି । କିପଗେନଙ୍କ ଚୟନ ରାଜ୍ୟରେ ହିଂସା କରିବା ସହିତ ସଦଭାବନା ଆଣିବ ବୋଲି ଆଶା କରାଯାଉଛି ।
ହିଂସା ଯୋଗୁଁ ମଣିପୁରରେ ଗତ ବର୍ଷ ଫେବ୍ରୁଆରୀ ୧୩ ତାରିଖରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ । ହିଂସା କାରଣରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂହ ପଦରୁ ଇସ୍ତଫା ଦେଇଥିଲେ । ଏନ୍. ବିରେନଙ୍କ ଇସ୍ତଫା ଦେବାର ୪ ଦିନ ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।