ଖବର ଓଡ଼ିଶା: ଦେଶର ବିଭିନ୍ନ ସ୍ଥାନରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଆସାମରେ ବନ୍ୟା ପରିସ୍ଥିତି ଏବଂ କେରଳରେ ଭୂସ୍ଖଳନ ଦେଶକୁ ଦୋହଲାଇ ଦେଇଛି । ସେପଟେ ବର୍ଷା ପାଣିରେ ଉବୁଟୁବୁ ହେଉଛି ରାଜଧାନୀ ଦିଲ୍ଲୀ । ଏହାରି ମଧ୍ୟରେ ଅଧା ମୌସୁମୀ ବିତି ଗଲାଣି । ତଥାପି ଦେଶର ଏକ ଚର୍ତୁଥାଂଶ ସ୍ଥାନରେ ବର୍ଷାର ଅଭାବ ଦେଖା ଦେଇଛି । ଭାରତର ୩୬ଟି ପାଣିପାଗ ବିଭାଗରେ ୨୫ ପ୍ରତିଶତ ସ୍ଥାନରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡିର)ରୁ ଏଭଳି ତଥ୍ୟ ମିଳିଛି । ଆଇଏମଡିର ତଥ୍ୟ ଅନୁଯାୟୀ ଜୁଲାଇରେ ଦେଶରେ ସାମାନ୍ୟ ତୁଳନାରେ ନଅ ପ୍ରତିଶତ ଅଧିକ ବର୍ଷା ହୋଇଛି । ଜୁଲାଇରେ ସାଧାରଣ ବୃଷ୍ଟିପାତ ପରିମାଣ ୨୮୦.୫ ମିଲିମିଟର ଥିବାବେଳେ ୩୦୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜୁନ ୧ ତାରିଖରୁ ମାତ୍ର ଦୁଇ ପ୍ରତିଶତ ଅଧିକ ଅର୍ଥାତ ମୋଟ ବୃଷ୍ଟିପାତ ୪୫୩.୮ ମିଲିମିଟର ରେକର୍ଡ ହୋଇଛି । କାରଣ ଏହି ସମୟରେ ସାଧାରଣ ବର୍ଷାର ପରିମାଣ ୪୪୫.୮ ମିମି ଥାଏ ।
ପ୍ରଥମେ ଯଦି ଆମେ ଉତ୍ତର-ପୂର୍ବ ଭାରତର ବର୍ଷାର ପରିମାଣ ଆକଳନ କରିବା ତା ହେଲେ ଉତ୍ତରପ୍ରଦେଶର ପୂର୍ବଭାଗ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବର କିଛି ଅଂଶରେ ବର୍ଷାର ପରିମାଣ ହ୍ରାସ ପାଇଛି । ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ୩୫ ରୁ ୪୫ ପ୍ରତିଶତ କମ ବର୍ଷା ହୋଇଛି । ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଜୁନ୍ ୩୦ରେ ୧୩.୩ ପ୍ରତିଶତ କମ ଥିବା ବେଳେ ଜୁଲାଇ ୩୧ରେ ୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏବଂ ବର୍ତ୍ତମାନ ସୁଦ୍ଧା ଏହି ମୌସୁମୀରେ ସାଧାରଣ ବର୍ଷାର ପରିମାଣ ୭୫୨.୫ ମିଲିମିଟର ଥିବା ବେଳେ ୬୧୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁଲାଇରେ ଉତ୍ତର-ପଶ୍ଚିମ ଭାରତରେ ସାଧାରଣ ବୃଷ୍ଟିପାତ ୨୦୯.୭ ମିଲିମିଟର ହୋଇଥିବାବେଳେ ୧୮୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅର୍ଥାତ୍ ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏପର୍ୟ୍ୟନ୍ତ ୧୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।
ଉତ୍ତରପ୍ରଦେଶରେ ୧୫%, ଉତ୍ତରଖଣ୍ଡରେ ୪%, ହରିୟାଣାରେ ୪୩% ଓ ପଞ୍ଜାବରେ ୪୫% କମ ବର୍ଷା ହୋଇଛି । ଜାମ୍ମୁ କାଶ୍ମୀରରେ ଏକ ବିରଳ ତଥ୍ୟ ଆସିଛି । ଅତ୍ୟଧିକ ଉତ୍ତାପର ସମ୍ମୁଖୀନ ହେଉଥିବା ଜାମ୍ମୁ କାଶ୍ମୀରରେ ସ୍ୱାଭାବିକ ତୁଳନାରେ ୩୭ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।
କିନ୍ତୁ ପୂର୍ବ ଭାରତର ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ଲୁଚକାଳି ଖେଳୁଛି । ଆଇଏମଡିର ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗର ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦% ଅଭାବ ଦେଖାଦେଇଛି ଏବଂ ସମସ୍ତ ୧୫ ଟି ଜିଲ୍ଲାରେ ସାମାନ୍ୟଠାରୁ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଛି । ସାଧାରଣ ଅପେକ୍ଷା ଝାଡ଼ଖଣ୍ଡରେ ୪୧ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି ଏବଂ ସମସ୍ତ ୨୪ ଟି ଜିଲ୍ଲା ଅଭାବୀ ବର୍ଷା ହୋଇଛି । ଓଡିଶାରେ ୧୧ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବାବେଳେ ୩୦ ଟି ଜିଲ୍ଲା ମଧ୍ୟରୁ ୧୨ ଟି ଜିଲ୍ଲାରେ ଅଭାବୀ ବର୍ଷାର ସମ୍ମୁଖୀନ ହୋଇଛି । ବିହାରର ପାଞ୍ଚଟି ଜିଲ୍ଲା ବ୍ୟତୀତ ରାଜ୍ୟରେ ୩୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।
କିନ୍ତୁ ମଧ୍ୟ ଭାରତ ଓ ଦକ୍ଷିଣ ଉପଦ୍ୱୀପରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୁଲାଇରେ ମଧ୍ୟ ଭାରତର ସାଧାରଣ ବର୍ଷା ତୁଳନାରେ ୩୩ ପ୍ରତିଶତ ଅଧିକ ବର୍ଷା ହୋଇଛି । ସାଧାରଣ ବର୍ଷାର ପରିମାଣ ୩୨୧.୩ ମିଲିମିଟର ହୋଇଥିବାବେଳେ ୪୨୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମୋଟ ଉପରେ ୫୭୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯେଉଁଠି କି ସାଧାରଣ ବର୍ଷାର ପରିମାଣ ୪୯୧.୬ ମିଲିମିଟର ଥାଏ । ସେହିପରି ଜୁଲାଇରେ, ଦକ୍ଷିଣ ଉପଦ୍ୱୀପରେ ୩୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୋଟାମୋଟି ଭାବେ ସାଧାରଣ ବୃଷ୍ଟିପାତ ୩୬୫.୫ ମିଲିମିଟର ଥିବାବେଳେ ଏପର୍ୟ୍ୟନ୍ତ ୪୬୩.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ୨୭ ପ୍ରତିଶତ ଅଧିକ ଅଟେ ।