ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ମାଓ ବିରୋଧୀ ଅଭିଯାନ ପରେ ରକ୍ତ ମୁଖା ହୋଇପଡ଼ିଛି ଲାଲବାହିନୀ । ପୁଣି ଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଜଣେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କ ଘରୁ ଡାକି ନେଇ ନିର୍ମମ ହତ୍ୟା କରିଛନ୍ତି । ସେ ହେଲେ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଅରନପୁର ସରପଞ୍ଚ ପ୍ରାର୍ଥୀ ଯୋଗା ବାରଷେ ।
ଗତକାଲି ରାତିରେ କିଛି ସଶସ୍ତ୍ର ମାଓବାଦୀ ଅରନପୁରରେ ଯୋଗା ବାରଷେଙ୍କ ଘରେ ପହଞ୍ଚିଥିଲେ। ଯୋଗା କବାଟ ଖୋଲି ଘରୁ ବାହାରକୁ ଆସିବା ମାତ୍ରେ ତାଙ୍କୁ ଉଠାଇ ନେଇଥିଲେ । ପରେ ନକ୍ସଲମାନେ ଯୋଗାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ । ପୋଲିସ ଇନଫର୍ମର୍ ସନ୍ଦେହରେ ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ସେ ଦୀର୍ଘ ୨୫ ବର୍ଷ ହେଲାଣି ସରପଞ୍ଚ ହୋଇଆସୁଥିଲେ ବୋଲି ଜଣାପଡ଼ିଛି ।
ଗତ କିଛି ଦିନ ତଲେ ବିଜାପୁର ଜିଲ୍ଲାରେ ପୋଲିସ ସୂଚନାଦାତା ସନ୍ଦେହରେ ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିତିଲେ ମାଓବାଦୀ । ତରେମ ଥାନା ଅନ୍ତର୍ଗତ ବୁଦୁଗିଚେରୁ ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭) ହତ୍ୟା କରାଯାଇଥିଲା । ଜାନୁୟାରୀ ୨୬ ତାରିଖ ବିଜାପୁରର ଭୈରମଗଡ଼ ଥାନା କେଶମୁଣ୍ଡା ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ବଦ୍ରୁ ସୋଢ଼ୀ ନାମକ ଜଣେ ବ୍ୟକ୍ତିଙ୍କୁ ଘରେ ପଶି ହତ୍ୟା କରିଥିଲେ । ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟ ମାସରେ ବିଜାପୁର ମିରତୁ ଥାନା ଅନ୍ତର୍ଗତ ଜପ୍ପେମାର୍କା ଗ୍ରାମରେ ଲାଲାବାହିନୀ ପ୍ରଜାକୋର୍ଟରେ ପୋଲିସ ଇନଫର୍ମର ଅଭିଯୋଗରେ ମାଡବି ସୁଜା ଓ ପୋଡ଼ିୟମ କୋସାକୁ ଫାଶୀ ଦଣ୍ଡ ଦିଆଯାଇଥିଲା ।