ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଫଳାଫଳ ଆସନ୍ତାକାଲି ଆସିବାକୁ ଯାଉଛି । ଏହାପୂର୍ବରୁ ଆଜି ଆପ୍ ମୁଖ୍ୟ ଅରବିନ୍ଦ୍ର କେଜ୍ରିୱାଲ ନିଜ ଦଳର ସମସ୍ତ ୭୦ ପ୍ରାର୍ଥୀଙ୍କୁ ନେଇ ଜରୁରୀ ବୈଠକ ଡାକିଛନ୍ତି । ଚା’ ପିଇବା ବାହାନରେ ସବୁ ବିଧାୟକ ପ୍ରାର୍ଥୀଙ୍କୁ ନିଜ ଘରକୁ ବୈଠକ ପାଇଁ ଡାକିଛନ୍ତି କେଜ୍ରିୱାଲ । ଏହି ବୈଠକରେ ବିଜେପିର ଅପରେସନ୍ ଲୋଟସ୍ ପ୍ରତି ବିଧାୟକ ପ୍ରାର୍ଥୀମାନେ ସତର୍କ ରହିବାକୁ କେଜ୍ରିଓ୍ୱାଲ ପରାମର୍ଶ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଆସନ୍ତାକାଲି ଆସିବ ଦିଲ୍ଲୀ ବିଧାନସଭାର ରେଜଲ୍ଟ । ଆଉ ଏହାପୂର୍ବରୁ ସରକାର ଗଢିବାକୁ ଅପରେସନ୍ ଲୋଟସ୍ କରିପାରେ ଭାରତୀୟ ଜନତା ପାର୍ଟି । ତେଣୁ ଚା’ ଆଲୋଚନା ବାହାନାରେ କେଜ୍ରିୱାଲ ଦିଲ୍ଲୀର ଫଳାଫଳ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଏକ ରଣନୀତି ପ୍ରସ୍ତୁତ କରିବେ। ସେପଟେ ଆପ୍ ନେତା ସଂଞ୍ଜୟ ସିଂହ ଭୋଟ୍ ଗଣତି ପୂର୍ବରୁ ବିଜେପି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା ଯେ, ଭୋଟ୍ ଗଣତି ପୂର୍ବରୁ ଦିଲ୍ଲୀରେ ଅପରେସନ୍ ଲୋଟସ୍ ଆରମ୍ଭ ହୋଇଯାଇଛି । ଆପ୍ ବିଧାୟକଙ୍କୁ ୧୫ କୋଟି ଲେଖାଏଁ ଟଙ୍କା ଦେଇ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଛି ବିଜେପି ।
ଏଥିସହ ଅରବିନ୍ଦ୍ର କେଜ୍ରିୱାଲ ମଧ୍ୟ ଏଗଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆପର କିଛି ନେତାଙ୍କ ପାଖକୁ ଫୋନ୍ କଲ ଆସିବା ଆରମ୍ଭ ହୋଇଛି । ସେମାନଙ୍କୁ ୧୫ କୋଟି ଲେଖାଏଁ ଟଙ୍କା ଦେଇ, ନିଜ ଦଳରେ ସାମିଲ କରିବାକୁ ବିଜେପି ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ୱାଲ ।
ଅଧିକ ପଢନ୍ତୁ: ଯଦି ବିଜେପି ସରକାର ଗଢ଼ିବ, ତେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ୫ଟି ନାମ ନେଇ ଅଧିକ ଚର୍ଚ୍ଚା
ଏଗଜିଟ୍ ପୋଲ ପୂର୍ବାନୁମାନ ପରେ, ଆମ ଆଦମୀ ପାର୍ଟି, ଭାଜପା ଏବଂ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ଅଧିକାଂଶ ଏଗଜିଟ୍ ପୋଲ ଦିଲ୍ଲୀରେ ଭାଜପାର ବିଜୟ ଏବଂ ଆମ ଆଦମୀ ପାର୍ଟିର ପରାଜୟ ଆକଳନ କରିଛନ୍ତି। ଏଥର ମଧ୍ୟ କଂଗ୍ରେସର ପ୍ରଦର୍ଶନ ଖରାପ ହେବାର ସମ୍ଭାବନା ଅଛି। ତେଣୁ ଏଭଳି ସ୍ଥିତିରେ ନିଜ ନେତାଙ୍କୁ ସତର୍କ କରିବାକୁ ବୈଠକ ଡାକିଛନ୍ତି କେଜ୍ରିଓ୍ୱାଲ ।