ପ୍ରୟାଗରାଜ: ମହାକୁମ୍ଭ ମେଳାରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି । ସେକ୍ଟର ୧୮ ଶଙ୍କରାଚାର୍ୟ୍ୟ ମାର୍ଗରେ ଥିବା ହରିହରା ନନ୍ଦ ତମ୍ବୁରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ପୋଲିସ ପକ୍ଷରୁ କୁହାଯାଉଛି ।
ମହାକୁମ୍ଭର ସେକ୍ଟର ୧୮ ଶଙ୍କରାଚାର୍ୟ୍ୟ ମାର୍ଗରେ ଥିବା ହରିହରା ନନ୍ଦ ତମ୍ବୁରେ ଶୁକ୍ରବାର ସକାଳୁ ହଠାତ୍ ନିଆଁ ଲାଗିଥିଲା । ତମ୍ବୁରେ ଥିବା ସମସ୍ତ ଶ୍ରଦ୍ଧାଳୁ ତୁରନ୍ତ ବାହାରକୁ ଚାଲି ଆସିଥିଲେ । ସେଠାରେ ନିୟୋଜିତ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା ପୋଲିସ କହିଛି । ସବୁକିଛି ନିୟମନ୍ତ୍ରଣରେ ଥିବାବେଳେ ଦୌଡ଼ାଦୌଡ଼ି ନ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ ।
ପୂର୍ବରୁ ମଧ୍ୟ ୨ ଥର ମହାକୁମ୍ଭରେ ଅଗ୍ନିକାଣ୍ଡ ଘଟିଛି । ଜାନୁୟାରୀ ୩୦ ତାରିଖରେ ସେକ୍ଟର ୨୨ ଛତନାଗ ଝୁଁସୀରେ ନିର୍ମିତ ତମ୍ବୁରେ ନିଆଁ ଲାଗିଥିଲା । ଟେଣ୍ଟ ସିଟିର ୧୨ରୁ ଅଧିକ ତମ୍ବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଏହା ପୂର୍ବରୁ ଜାନୁଆରୀ ୧୯ ତାରିଖରେ ସେକ୍ଟର- ୧୯ରେ ଗୋଟିଏ ତମ୍ବୁରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିବାରୁ ନିଆଁ ଲାଗିଥିଲା । ପ୍ରାୟ ୧୮ଟି ତମ୍ବୁ ଜଳିଯାଇଥିଲା ।