ମହାରାଷ୍ଟ୍ର: ମହିଳାଙ୍କ ସୁରକ୍ଷା ପାଇଁ ପରାମର୍ଶ ଦେଲେ ମନ୍ତ୍ରୀ । କହିଲେ ପର୍ସରେ ଲିପିଷ୍ଟିକ୍ କାଜଲ ନୁହେଁ ସୁରକ୍ଷା ପାଇଁ ରଖାଯାଉ ଲଙ୍କାଗୁଣ୍ଡ ଓ ଛୁରୀ । ମହାରାଷ୍ଟ୍ରର ଜଳ ଯୋଗାଣ ଓ ପରିମଳ ମନ୍ତ୍ରୀ ଗୁଲବରାଓ ପାଟିଲ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ଶନିବାର ଏକ କାର୍ଯ୍ୟକ୍ରମ ଜରିଆରେ ଯୋଗ ଦେଇ ଏହି ପରାମର୍ଶ ଦେଇଛନ୍ତି । ଏଥିସହ ମହିଳା ସଶକ୍ତିକରଣ ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମେ ମହିଳା ସଶକ୍ତିକରଣ ବିଷୟରେ ସବୁବେଳେ କହିଥାଉ, କିନ୍ତୁ ସତରେ କଣ ମହିଳା ସଶକ୍ତ । ଆଜି ମଧ୍ୟ ରାସ୍ତା ଘାଟ, କର୍ମ କ୍ଷେତ୍ର ଏପରିକି ନିଜ ଘରେ ମଧ୍ୟ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଛି । ଏପରି ଅନେକ ଖରାପ ଘଟଣା ସାମ୍ନାକୁ ଆସୁଛି । ଏଥିପାଇଁ ମହିଳା ମାନଙ୍କୁ ନିଜକୁ ଦୃଢ କରିବାକୁ ପଡିବ । ନିଜ ପ୍ରତି ହେଉଥିବା ଅତ୍ୟାଚାରରୁ ନିଜକୁ ସୁରକ୍ଷିତ ରଖିବାକୁ ପଡିବ । ତେଣୁ ମହିଳାମାନେ ସେମାନଙ୍କ ପର୍ସରେ ଖାଲି ଲିପଷ୍ଟିକ୍, କାଜଲ ରଖିଲେ ହେବନି, ସୁରକ୍ଷା ପାଇଁ ପର୍ସରେ ଲଙ୍କାଗୁଣ୍ଡ ଏବଂ ଛୁରୀ ପରି ମାରଣାସ୍ତ୍ର ମଧ୍ୟ ରଖିବା ଉଚିତ୍ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଆତ୍ମରକ୍ଷା ପାଇଁ ଏହିପରି ସାମଗ୍ରୀ ନିଜ ପାଖରେ ସର୍ବଦା ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ବର୍ତ୍ତମାନ ସମୟରେ ମହିଳାଙ୍କ ସୁରକ୍ଷା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରିସ୍ଥିତି ଏପରି ହେଲାଣି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ପୋଲିସ ଠୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅତିଷ୍ଟ ହୋଇଗଲେଣି । ମହିଳାଙ୍କୁ ସୁରକ୍ଷା ଦେବାପାଇଁ ଏତେ ନିୟମ କାନୁନ୍, ସୁରକ୍ଷା ବ୍ୟବସ୍ଥା କରାଯିବା ସତ୍ତ୍ଵେ ମଧ୍ୟ ରାଜରାସ୍ତା, କର୍ମ କ୍ଷେତ୍ର ଏପରିକି ନିଜ ଘରେ ମଧ୍ୟ ମହିଳା ଅସୁରକ୍ଷିତ ହୋଇପଡ଼ୁଛି । ସେଥିପାଇଁ ନିଜ ସୁରକ୍ଷା ପାଇଁ ପ୍ରତି ମହିଳା ଏଭଳି ଅସ୍ତ୍ର ନିଜ ପାଖରେ ରଖିବା ଆବଶ୍ୟକ ।