ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେଶ ବାଘେଲ ଏବେ ଅଡ଼ୁଆରେ ପଡ଼ିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଭୂପେଶଙ୍କ ଘରେ ସୋମବାର ଚଢ଼ଉ କରିଛି । ଭୂପେଶଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ ଇଡି ପକ୍ଷରୁ ସକାଳୁ ସକାଳୁ ଚଢ଼ଉ ଆରମ୍ଭ ହୋଇଛି ।
ଆର୍ଥିକ ଅନିୟମିତତା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଏହି ରେଡ୍ କରୁଛି । ତାଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଉଛି । ଭିଲାଇ ଥ୍ରୀ ମାନସରୋବର କଲୋନୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବଙ୍ଗଳାରେ ଇଡି ଟିମ୍ ଚଢାଉ କରିଛି। ଇଡି ଟିମ୍ ସକାଳ ୭ଟାରେ ତିନୋଟି ଇନୋଭା କାରରେ ପହଞ୍ଚିଥିଲେ । ବଙ୍ଗଳା ଭିତରେ ଇଡିର କାର୍ୟ୍ୟାନୁଷ୍ଠାନ ଜାରି ରହିଛି ।
ଅନ୍ୟପକ୍ଷରେ କଂଗ୍ରେସ କର୍ମୀଙ୍କ କାନରେ ଖବର ପଡ଼ିବା କ୍ଷଣି ତାଙ୍କ ବାସଭବନ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇଛନ୍ତି । ସୁରକ୍ଷା ପାଇଁ ନିୟୋଜିତ ସିଆରପିଏଫ ଯବାନଙ୍କ ସହିତ କର୍ମୀମାନଙ୍କର ବଚସା ହୋଇଥିଲା । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖବର ସଂଗ୍ରହ କରିବାକୁ ମଧ୍ୟ ବାରଣ କରାଯାଇଛି । ଯାହାକୁ ନେଇ କିଛି ସମୟ ପାଇଁ ଅଶାନ୍ତ ବାତ୍ତାବରଣ ସୃଷ୍ଟି ହୋଇଥିଲା । ପରେ ଶାନ୍ତ ପଡ଼ି ଯାଇଥିଲା । କଂଗ୍ରେସ କର୍ମୀମାନେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ଆରମ୍ଭ କରିଦେଇଥିଲେ ।