ନୂଆଦିଲ୍ଲୀ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ ମାମଲାରେ ବର୍ତ୍ତମାନ ପୋଲିସ ରିମାଣ୍ଡରେ ଅଛନ୍ତି । କିନ୍ତୁ ପୋଲିସର ଜେରା ସମୟରେ ସେ ସୁନା ଚାଲାଣ ମାମଲାରେ ତାଙ୍କର ସଂପୃକ୍ତି ନ ଥିବା ଦାବି କରିଛନ୍ତି । ଏହି ମାମଲାରେ ତାଙ୍କୁ ଫସା ଯାଉଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ପକ୍ଷରୁ ପଚରା ଉଚୁରା ସମୟରେ ରାନ୍ୟା କାନ୍ଦି ପଡିଥିଲେ ।
ରାନ୍ୟାଙ୍କ ଓକିଲ କହିଛନ୍ତି, ତାଙ୍କୁ ନିଦ ଲାଗୁନି ଏବଂ ସେ ଭାବୁଛନ୍ତି ଯେ, ସେ ଏହି ମାମଲାରେ କେମିତି ଫସିଲେ । ରାନ୍ୟା କହିଛନ୍ତି, ମୁଁ ନିର୍ଦ୍ଦୋଷ । ମୁଁ ମାନସିକ ଭାବେ ଭାଙ୍ଗି ପଡିଛି । ମୋତେ ମାମଲାରେ ଫସା ଯାଇଛି । ଡିଆରଆଇ ଯେଉଁ ଅଭିଯୋଗରେ ତାଙ୍କୁ ଗିରଫ କରିଛି ତାହା ମିଛ । ଅନ୍ୟପଟେ ଏହା ଜଣା ପଡିଛି ଯେ, ରାନ୍ୟା କେବଳ ଦୁବାଇ ନୁହେଁ, ୟୁରୋପ, ଆମେରିକା ଓ ମଧ୍ୟପ୍ରାଚ୍ୟ ଯାଇ ଭାରତକୁ ସୁନା ଚୋରା ଚାଲାଣ କରୁଥିଲେ । ଅଧିକାରୀ ଜାଣିବାକୁ ଚାହୁଁଛନ୍ତି ଯେ, ଯଦି ରାନ୍ୟାଙ୍କୁ ଏହି କେସରେ ଫସା ଯାଇଛି, ତେବେ ସେ ସତ କୁହନ୍ତୁ । କେଉଁ ପରିସ୍ଥିତିରେ ପଡି ସେ ଘଟଣାରେ ସାମିଲ ହେଲେ ।
ରାନ୍ୟାଙ୍କ ମାମଲା ଗତ ବର୍ଷ ଚେନ୍ନାଇରେ ଘଟିଥିବା ଘଟଣା ସହ ସାମଞ୍ଜସ୍ୟ ରହିଛି । କେରଳର ଏକ ସଫ୍ଟୱେର କର୍ମଚାରୀଙ୍କ ପତ୍ନୀଙ୍କୁ ଦୁବାଇରେ ୧୨ କିଲୋ ସୁନା ସହ ଗିରଫ କରାଯାଇଥିଲା । ପରେ ଜଣା ପଡିଥିଲା ଯେ, ସୁନା ତସ୍କରିରେ ସାମିଲ ଜଣେ ପୁରୁଷ ବନ୍ଧୁ ତାଙ୍କୁ ବ୍ଲାକମେଲ କରୁଥିଲେ । ଅଧିକାରୀଙ୍କ କହିବା କଥା ରାନ୍ୟା ରାଓଙ୍କୁ କୌଣସି ଜଣେ ଘନିଷ୍ଠ ଏହି କାମରେ ଫସାଇଥିବେ ।
ସୂଚନାଯୋଗ୍ୟ, ରାନ୍ୟା ରାଓଙ୍କୁ ସୋମବାର ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗିରଫ କରାଯାଇଥିଲ।। । ତାଙ୍କଠୁ ୧୨ କୋଟି ଟଙ୍କାର ସୁନା ଜବତ କରାଯାଇଥିଲା । ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କୋର୍ଟ ରାନ୍ୟାଙ୍କୁ ଡିଆରଆଇର ରିମାଣ୍ଡରେ ପଠାଇଛନ୍ତି । ମାମଲାରେ ରାନ୍ୟାଙ୍କ ଘରୁ କୋଟି କୋଟି ଟଙ୍କା ମୂଲ୍ୟର ସୁନା ଓ ନଗଦ ଜବତ କରାଯାଇଥିଲା ।