ଉତ୍ତରପ୍ରଦେଶ: ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ମାଘ ସପ୍ତମୀ ଅବସରରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଭୁଟାନର ରାଜା ଜିଗ୍ମେ ଖେସର ନାମଗେଲ୍ ୱାଙ୍ଗଚୁକ୍। ବୁଡ଼ ପକାଇବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ଉପସ୍ଥିତ ଥିଲେ। ସେ ମଧ୍ୟ ଭୁଟାନ ନରେଶଙ୍କ ସହିତ ମିଶି ଗଙ୍ଗା ସ୍ନାନ, ବୁଡ଼ ଓ ତିଳ ତର୍ପଣ ଅର୍ପଣ କରିଛନ୍ତି। ଏଥି ସହିତ ଉଭୟ ତ୍ରୀବେଣୀ ସଙ୍ଗମରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ ଯୋଗୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।
ଆଜି ସକାଳ ୧୦ଟାରେ ଭୁଟାନ ରାଜା ସ୍ୱତନ୍ତ୍ର ବିମାନ ଯୋଗେ ବମରୌଲି ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ଅରେଲ ଘାଟରେ ପହଞ୍ଚି ସ୍ନାନ କରିଥିଲେ । ବୁଡ଼ ପକାଇବା ପରେ ଭୁଟାନ୍ ରାଜା, ଗଙ୍ଗା ନଦୀ ତଟରେ ଉଡୁଥିବା ପକ୍ଷୀମାନଙ୍କୁ ଖାଦ୍ୟ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସେ ଏହି ଖାଦ୍ୟଦାନ କରିଥିଲେ।
ଅଧିକ ପଢନ୍ତୁ: ଖାଦ୍ୟ ନିଅଣ୍ଟ ହେବାରୁ ରାଗିଗଲେ ବରଯାତ୍ରୀ; ବାହାଘର ଭାଙ୍ଗି ବରକୁ ଧରି ଫେରିଗଲେ, ରାତାରାତି ପୋଲିସ କରାଇଲା ବିବାହ, ଥାନାରେ ପଡ଼ିଲା ହାତଗଣ୍ଠି
ଗଙ୍ଗାସ୍ନାନ ପରେ ମୁଖ୍ୟମନ୍ତ୍ରୀ ଓ ଭୁଟାନ ରାଜା ଉଭୟ ଅକ୍ଷୟ ବଟ ଗସ୍ତ କରିଥିଲେ। ଏଠାରେ ଥିବା ଶତାବ୍ଦୀ ପୁରୁଣା ଅକ୍ଷୟ ବଟକୁ ପୂଜା କରିଥିଲେ। ଏହାସହ ଅକ୍ଷୟ ବଟରେ ବିରାଜମାନ ଥିବା ବିଶ୍ୱର ଏକମାତ୍ର ଶୟନରତ ହନୁମାନ ମନ୍ଦିରରେ ପୂଜା କରିବା ସହ ଦର୍ଶନ ମଧ୍ୟ କରିଛନ୍ତି ରାଜା। ସେହିପରି ଆସନ୍ତାକାଲି ମହାକୁମ୍ଭରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।