ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ବାରଣାସୀ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ କରିବାକୁ ଚେଷ୍ଟା କରାଯାଇଥିବା ସନ୍ଦେହ କରାଯାଇଛି । ଫଳରେ ବିମାନ ଚାଳକ ବାରଣାସୀ ବାବତପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରାଇଛନ୍ତି । ଯାତ୍ରା କରୁଥିବା ୯ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି ।
ସୋମବାର ବେଙ୍ଗାଲୁରୁ ୧୬୩ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୋଇଁ ୭୩୭ ମ୍ୟାକ୍ସ-୮ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଏହି ସମୟରେ ଦୁଇ ଜଣ ଯାତ୍ରୀ ବିମାନ କକପିଟ୍ (ପାଇଲଟ୍ ବସୁଥିବା ସ୍ଥାନ) ଖୋଲିବାକୁ ଉଦ୍ୟମ କରିଥିଲେ । ଫଳରେ ବିମାନ ଚାଳକ ଏହାକୁ ଏକ ହାଇଜାକ୍ ଉଦ୍ୟମ ସନ୍ଦେହ କରି ବିମାନକୁ ବାରଣାସୀରେ ସମୟ ପୂର୍ବରୁ ଅବତରଣ କରାଇଥିଲେ । ଅବତରଣ ସମୟ ୧୦.୪୫ ଥିବାବେଳେ ବିମାନଟି ୧୦.୨୨ରେ ଓହ୍ଲାଇଥିଲା । ଏହା ପରେ କକପିଟ୍ ଖୋଲିବାକୁ ଉଦ୍ୟମ କରୁଥିବା ଦୁଇ ଜଣ ଯାତ୍ରୀଙ୍କୁ ସିଆଇଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା । ପରେ ସିଆଇଏସଏଫ ସ୍ଥାନୀୟ ପୋଲିସକୁ ୯ ଜଣ ଯାତ୍ରୀଙ୍କୁ ହସ୍ତାରନ୍ତର କରିଛି । ସେମାନଙ୍କୁ ପୋଲିସ ଜେରା କରୁଛି । ସେମାନେ କକପିଟ୍ ଦ୍ୱାରରେ କିଛି କୋଡ୍ ପକାଉଥିଲେ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ଜଣାପଡ଼ିଛି ଯେ, ଯାତ୍ରୀ ୨ ଜଣ ବିମାନ ଶୌଚାଳୟ ଭାବି କକପିଟକୁ ଭୁଲବଶତଃ ଖୋଲିଥିଲେ । ସେମାନେ କହିଛନ୍ତି ପ୍ରଥମଥର ପାଇଁ ବିମାନରେ ଯାତ୍ରା କରୁଥିଲେ , ତେଣୁ ବିମାନ ବିଷୟରେ କିଛି ଜାଣିନଥିବା କହିଛନ୍ତି । କକପିଟ୍ ଖୋଲିବାକୁ ଚେଷ୍ଟା କରୁଥିବାବେଳେ କ୍ର୍ୟୁ ସଦସ୍ୟ ସେମାନଙ୍କୁ ବାରଣ କରିଥିଲେ । ଏହା ପରେ ସେମାନେ ଆଉ ଖୋଲି ନ ଥିଲେ ବୋଲି କହିଛନ୍ତି ।
ସେପଟେ ଅଭିଜ୍ଞ ପାଇଲଟ୍ କ୍ୟାପଟେନ୍ ଅରବିନ୍ଦ କହିଛନ୍ତି, ପାଇଲଟର ବିନା ଅନୁମତିରେ କକପିଟକୁ କେହି ବାହାରୁ ଖୋଲି ପାରିବେ ନାହିଁ । କେବଳ ଭିତର ପାର୍ଶ୍ୱରୁ ପାଇଲଟ୍ କକପିଟ୍ ଖୋଲି ପାରିବେ । ଏମିତିକି ବିମାନର କ୍ର୍ୟୁ ସଦସ୍ୟ ମଧ୍ୟ ଖୋଲିବାକୁ ଅନୁମତି ନାହିଁ । କ୍ୟାବିନ୍ କ୍ର୍ୟୁ ପାଇଲଟଙ୍କ ଅନୁମତି ମାଗିଲେ ପାଇଲଟ୍ କକପିଟ୍ ଭିତରେ ଥିବା ଏକ ପ୍ୟାନେଲରେ ବଟନ୍ ଦବାଇଲେ ଗେଟ୍ ଖୋଲିବ । ବାହାର ପାର୍ଶ୍ୱରୁ ଗେଟ୍ ଖୋଲିବାକୁ ଦୁଇ ଥର ଉଦ୍ୟମ କରାଯାଇଛି । ପାଇଲଟ୍ ଯେତେବେଳେ କ୍ୟାମେରାରେ ଦେଖିଥିବେ କ୍ୟାବିନ୍ କ୍ର୍ୟୁ ନୁହେଁ ବରଂ ଯାତ୍ରୀ ପଶିବାକୁ ଉଦ୍ୟମ କରୁଛନ୍ତି ସେତେବେଳେ ସିଏ ଅନୁମତି ଦେଇ ନ ଥିବେ ।
ତେବେ ଯାତ୍ରୀ ଦୁଇ ଜଣ କାହିଁକି ଖୋଲୁଥିଲେ କିମ୍ବା ଅଜାଣତରେ ଖୋଲୁଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ତଦନ୍ତରେ ପ୍ରକୃତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।