ଖବର ଓଡିଶା : 12/03/2023:
ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାକୁ ନେଇ ବଢ଼ିଛି ସସପେନ୍ସ । ସତୀଶ କୌଶିକଙ୍କ ମୃତ୍ୟୁ ନେଇ କାହାଣୀ ନୂଆମୋଡ଼ ନେଇଛି । ବ୍ୟବସାୟୀ ବିକାଶ ମାଲୁଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ବିକାଶଙ୍କ ପତ୍ନୀ ପ୍ରତିକ୍ରିୟାରେ ତାଙ୍କ ସ୍ବାମୀଙ୍କ ଉପରେ ସତୀଶଙ୍କ ହତ୍ୟାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ବାମୀ ହିଁ ସତୀଶଙ୍କୁ ହତ୍ୟା କରିଛନ୍ତି ବୋଲି ବୟାନ ରଖିଛନ୍ତି ସମ୍ପୃକ୍ତ ମହିଳା । ଏହି ହତ୍ୟା ୧୫ କୋଟି ଟଙ୍କା ପାଇଁ କରାଯାଇଛି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀଙ୍କୁ ସତୀଶ ୧୫ କୋଟି ଟଙ୍କା ଦେଇଥିଲେ । ସେହି ଟଙ୍କାକୁ ଫେରସ୍ତ ପାଇଁ ସତୀଶ ତାଙ୍କ ସ୍ବାମୀକୁ କହିବାରୁ ଏପରି ଘଟଣା ଘଟିଛି । ମହିଳା ଜଣକ ୨୦୧୯ ମାର୍ଚ୍ଚ ୧୩ ତାରିଖରେ ବ୍ୟବସାୟୀ ବିକାଶ ମାଲୁଙ୍କୁ ବିବାହ କରିଥିଲେ । ଆଉ ବିବାହ ପରେ ବ୍ୟବସାୟ ପାଇଁ ବିକାଶଙ୍କୁ କିଛି ଟଙ୍କାର ଆବଶ୍ୟକତା ପଡ଼ିଥିଲା । ଫଳରେ ବିକାଶ ଦୁବାଇରେ ସତୀଶଙ୍କୁ ଭେଟିଥିଲେ । ଉଭୟଙ୍କ ସାକ୍ଷାତ ହେବା ପରେ ତାଙ୍କ ସ୍ବାମୀ ସତୀଶଙ୍କୁ ୧୫ କୋଟି ଟଙ୍କା ବ୍ୟବସାୟରେ ଲଗାଇବା ପାଇଁ ମାଗିଥିଲେ । ପରେ ସତୀଶ ୧୫ କୋଟି ଟଙ୍କା ଦେଇଥିଲେ ।
କିଛି ବର୍ଷ ଯିବା ପରେ ତାଙ୍କ ସ୍ବାମୀଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ସତୀଶ । ହେଲେ ତାଙ୍କ ସ୍ବାମୀ ଟଙ୍କା ଫେରାଇବାକୁ ଚାହୁଁନଥିଲେ । ତେଣୁ ସତୀଶ କୌଶିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ବିକାଶ ମାଲୁଙ୍କ ପତ୍ନୀଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ବୟାନ ରେକର୍ଡ କରିଛି ପୁଲିସ । ଅନ୍ୟପଟେ ବିକାଶ ମାଲୁ ଏହା ପରେ ପ୍ରତିକ୍ରିୟା ରଖିଛନ୍ତି । ସତୀଶ ତାଙ୍କର ଜଣେ ପରିବାରର ସଦସ୍ୟ ଭଳି ଥିଲେ ବୋଲି ବିକାଶ ମାଲୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ପୂର୍ବରୁ ସତୀଶ କୌଶିକ ଥିବା ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । ଯାହାକୁ ନେଇ ସନ୍ଦେହ ଘେରକୁ ଆସିଥିଲା ସତୀଶଙ୍କ ମୃତ୍ୟୁ । ଅନ୍ୟପଟେ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।