ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକେଇ ମାଧ୍ୟମରେ ଟଙ୍କା ଲୁଟ୍ କରିବା ମାମଲା ବଢ଼ିବାରେ ଲାଗିଛି। ଲୁଟେରାମାନେ ବିଭିନ୍ନ ବିକଳ୍ପ ପନ୍ଥା ଆପଣାଇ ଲକ୍ଷଲକ୍ଷ ଟଙ୍କା ଲୁଟ କରୁଛନ୍ତି। ନୂଆଦିଲ୍ଲୀର ଉତ୍ତର ଜିଲ୍ଲାରେ ସାଇବର ଠକେଇ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।
ଡେପୁଟି କମିଶନର ରାଜା ବନ୍ଥିଆଙ୍କ କହିବା ଅନୁସାରେ ଅଭିଯୁକ୍ତମାନେ ନିଜକୁ ଟେଲିକମ୍ ବିଭାଗ, ସିବିଆଇ ଏବଂ ଇଡି ଅଧିକାରୀ ବୋଲି ଜଣେ ମହିଳାଙ୍କୁ ପରିଚୟ ଦେଇଥିଲେ। ସେମାନେ ମହିଳା, ତାଙ୍କ ସ୍ବାମୀ ଓ ଝିଅଙ୍କୁ ଡିଜିଟାଲ ଅଟକ ରଖି ଧମକ ମଧ୍ୟ ଦେଇଥିଲେ। ଏହା ପରେ ମହିଳାଙ୍କ ଠାରୁ ୮.୧୦ ଲକ୍ଷ ଟଙ୍କା କୌଶଳ କ୍ରମେ ନେଇଯାଇଥିଲେ।
ମାର୍ଚ୍ଚ ୨୪ ତାରିଖରେ ଏକ ଅଜଣା ମୋବାଇଲ୍ ନମ୍ବରରୁ ମହିଳାଙ୍କୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ ଦିଲ୍ଲୀର ଟେଲିକମ୍ ବିଭାଗର ବୋଲି ନିଜର ପରିଚୟ ମହିଳାଙ୍କୁ ଦେଇଥିଲେ। ମହିଳାଙ୍କୁ ଏକ ନକଲି ସିମ୍ କାର୍ଡ ବ୍ୟବହାର କରିବାକୁ ପ୍ରବର୍ତ୍ତାଇଥିଲେ। ପୁଣି ମହିଳାଙ୍କୁ କିଛି ଅଜଣା ହ୍ୱାଟ୍ସଆପ୍ ନମ୍ବରରୁ ଭିଡିଓ କଲ୍ ଆସିଥିଲା, ଯେଉଁଥିରେ ସେ ନିଜକୁ ଇଡି ଏବଂ ସିବିଆଇ ବିଭାଗର ବୋଲି କହିଥିଲେ। ଠକମାନେ ମହିଳାଙ୍କୁ କିଛି ମନି ଲଣ୍ଡରିଂ ମାମଲାରେ ତାଙ୍କର ସମ୍ପୃକ୍ତି ଅଛି ବୋଲି କହି ଧମକ ଦେବା ସହିତ ତାଙ୍କୁ ଗିରଫ କରାଯିବ ବୋଲି ମଧ୍ୟ କହିଥିଲେ।
ଏନେଇ ମହିଳା ଉତ୍ତର ଜିଲ୍ଲା ସାଇବର ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲେ।
ପ୍ରାଥମିକ ତଦନ୍ତରେ କଲ୍ଟି ଜମରୁଦପୁର, କୈଳାସର ପୂର୍ବ ଏବଂ ଗ୍ରେଟର କୈଳାସ ଅଞ୍ଚଳରୁ ହୋଇଥିଲା ବୋଲି ପୋଲିସ ଟ୍ରାକ୍ କରିଥିଲା। ପରବର୍ତ୍ତୀ ସମୟରେ ପୋଲିସ ତନାଘନା ଯାଞ୍ଚ କରି ମାର୍ଚ୍ଚ ୩୧ ତାରିଖରେ ତିନି ଜଣ ଅଭିଯୁକ୍ତ ରାଜା ମଣ୍ଡଳ(୨୭), ତୁଷାର ଥାପା(୨୩), ସୌରଭ ତିୱାରୀ(୨୩)ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚାରୋଟି ମୋବାଇଲ୍ ଫୋନ୍ ଜବତ କରିଥିଲା। ପୁଣି ଅନୁପ କୁମାର ତିୱାରୀ (୨୩) ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତାଙ୍କ ଠାରୁ ଆଉ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ପୋଲିସ ଏହି ମାମଲାର ତଦନ୍ତ ଜାରି କରିବା ସହିତ ଆଉ କିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।