ନୂଆଦିଲ୍ଲୀ: ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପ୍ରତିରକ୍ଷା, ଉର୍ଜା ଓ ପ୍ରଦୌଗିକି କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି । ଏହି ଆନୁଷ୍ଠାନିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଭେନ. ତାଙ୍କ ପତ୍ନୀ ଭାରତୀୟ ବଂଶୋଦ୍ଭବ ଉଷା ଚିଲୁକୁରୀ ଓ ତିନି ସନ୍ତାନଙ୍କ ପାଇଁ ରାତ୍ରଭୋଜନ ଆୟୋଜନ କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ଭେନ୍ସଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ଟ୍ରମ୍ପଙ୍କ ଭାରତ ଯାତ୍ରାର ପ୍ରତୀକ୍ଷା କରୁଛୁ ।
ପିଏମ ମୋଦୀ ଓ ଭେନ୍ସ ରୁଷ-ୟୁକ୍ରେନ ସଂଘର୍ଷ ସହିତ ପରସ୍ପର ହିତର ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାର ଆଦାନ ପ୍ରଦାନ କରିଛନ୍ତି । ଏଥିସହ ଆଗକୁ ବଢିବା ପାଇଁ ଆଲୋଚନା ଓ କୂଟନୀତି ଉପରେ ଜୋର ଦେଇଛନ୍ତି । ଭେନ୍ସଙ୍କ ପ୍ରଥମ ଭାରତ ଯାତ୍ରା ଠିକ୍ ସେହି ସମୟରେ ହୋଇଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଖାପାଖି ୬୦ ଦେଶ ଉପରେ ଟାରିଫ ଲଗାଇ ପୁଣି ତାକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି । ତେବେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା ଚଳାଇଛନ୍ତି । ଫେବୃଆରୀରେ ୱାଶିଂଟନ ଡିସିରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନାରେ ଯେଉଁ ସହମତି ପ୍ରକାଶ ପାଇଥିଲା ତାହା ଉପରେ ଆଲୋଚନା କରାଯାଇଛି ।
ପ୍ରେସ ବିବୃତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ଉପରାଷ୍ଟ୍ରପତି ଭେନ୍ସ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରିଛନ୍ତି । ଉର୍ଜା, ପ୍ରତିରକ୍ଷା, ସାମରିକ ପ୍ରଦୌଗିକି ଓ ଅନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ ଜାରି ପ୍ରୟାସ ଉପରେ ଦୁଇ ଦେଶ ଗୁରୁତ୍ୱ ଦେଇଛନ୍ତି । ପ୍ରଥମ ଥର ଦୁଇ ଦେଶ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମାର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ମହତ୍ୱପୂର୍ଣ୍ଣ ପ୍ରଗତି ହୋଇଛି । ଏହି ରାଜିନାମାକୁ ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତିମ ରୂପ ଦିଆଯିବାର ସମ୍ଭାବନା ରହିଛି ।