ଭୁବନେଶ୍ୱର: ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ପାସ୍ ହାର ସାମାନ୍ୟ ଅଧିକ ରହିଛି । ଗତବର୍ଷ ୮୭.୯୮ ପ୍ରତିଶତ ରହିଥିବା ବେଳେ ଏଥର ୦.୪୧ ପ୍ରତିଶତ ଅଧିକ ରହିଛି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଏଥର ବାଜି ମାରି ନେଇଛନ୍ତି । ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ୫.୯୪% ଅଧିକ ରହିଛି । ଛାତ୍ରୀଙ୍କ ପାସ୍ହାର ୯୧.୬୪% ଥିବାବେବେଳେ ଛାତ୍ରଙ୍କ ପାସ୍ହାର ୮୫.୭୦% ରହିଛି । ଛାତ୍ରଛାତ୍ରୀମାନେ cbse.gov.in, http://cbseresults.nic.in କିମ୍ବା results.cbse.nic.inରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏହା ବାଦ୍ ଡିଜି ଲକର୍ ଏବଂ ଉମାଙ୍ଗ୍ ଆପ୍ (UMANG) ଜରିଆରେ ନିଜର ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ।
ଶ୍ରେଷ୍ଠ ୧୦ରେ ନାହିଁ ଭୁବନେଶ୍ୱର
ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ବିଜୟୱାଡ଼ା ପ୍ରଥମ ସ୍ଥାନ (୯୯.୬୦%)ରେ ରହିଥିବା ବେଳେ ତା ତଳକୁ ଦ୍ୱିତୀୟରେ ତ୍ରୀବେନ୍ଦ୍ରମ୍ (୯୯.୩୨%) ଦ୍ୱିତୀୟ ଏବଂ ଚେନ୍ନାଇ (୯୭.୩୯%) ତୃତୀୟରେ ରହିଛି । ସିବିଏସଇର ଭୁବନେଶ୍ୱର ଶାଖା ୯୦ ପ୍ରତିଶତ ଛୁଇଁ ପାରି ନାହିଁ । ଭୁବନେଶ୍ୱରରେ ପାସ୍ ହାର ୮୩.୬୪ ପ୍ରତିଶତ ରହିଥିବାବେଳେ ଦେଶରେ ଏକାଦଶ ସ୍ଥାନରେ ରହିଛି ।
୧୬ ଲକ୍ଷ ୯୨ ହଜାର ୭୯୪ ଜଣ ଦେଇଥିଲେ ପରୀକ୍ଷା
ଚଳିତ ବର୍ଷ ମୋଟ ୧୯, ୨୯୯ ସ୍କୁଲରୁ ୧୭ ଲକ୍ଷ ୪ ହଜାର ୩୬୭ ଜଣ (୧୭,୦୪,୩୬୭ ) ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାବେଳେ ୧୬ ଲକ୍ଷ ୯୨ ହଜାର ୭୯୪ ଜଣ (୧୬, ୯୨,୭୯୪) ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୯୬ ହଜାର ୩୦୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଫେବୃୟାରୀ ୧୫ ରୁ ଏପ୍ରିଲ ୪ ତାରିଖ ଯାଏଁ ୭୩୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।