ଅହମ୍ମଦାବାଦ: ଗୁଜରାଟରେ ଏକ ମୌଲାନାଙ୍କ ପାକିସ୍ତାନୀ ଲିଙ୍କ୍ ସାମ୍ନାକୁ ଆସିବା ପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ମୌଲାନାଙ୍କ ଦ୍ୱାରା ସଞ୍ଚାଳିତ ମଦରସା ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇଛି । ମୌଲାନା ମହମ୍ମଦ ଫଜଲ ଅବଦୁଲ ଅଜିଜ ଶେଖଙ୍କ ଦ୍ୱାରା ମଦରସା ପରିଚାଳିତ ହେଉଥିଲା । ମୌଲାନାଙ୍କ ଫୋନରେ ପାକିସ୍ତାନୀ କନେକ୍ସନ ଥିବା ଅନେକ ହ୍ୱାଟ୍ସଆପ୍ ଗ୍ରୁପ ମିଳିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଅମରେଲିର ଡିଏସପି ପିଆର ରାଠୋର କହିଛନ୍ତି, ଏସଡିଏମଙ୍କ ତଦନ୍ତରୁ ଜଣା ପଡିଥିଲା ଯେ, ମଦରସା ପାଖରେ କୌଣସି କାଗଜପତ୍ର ନାହିଁ । ପରିଚାଳକ ଏହା ମଧ୍ୟ ଏହାର ପ୍ରମାଣ ଦେଇ ପାରିଲେ ନାହିଁ ଯେ, ମଦରସାର ଜମି ତାଙ୍କ ନାମରେ ଅଛି ଏବଂ ନିର୍ମାଣ ଆଇନ ଅନୁସାରେ ହୋଇଛି । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷା ବଳ ମୁତୟନ କରାଯାଇଥିଲା । ତେବେ ଏହି ସମୟରେ ପୋଲିସକୁ କୌଣସି ପ୍ରକାରର ବିରୋଧର ସମ୍ମୁଖୀନ ହେବାକୁ ପଡି ନ ଥିଲା ।
ପହଲଗାମ ଆତଙ୍କୀ ହମଲା ପରେ ଗୁଜରାଟ ପୋଲିସ ଅମରେଲିରୁ ସନ୍ଦିଗ୍ଧ ମୌଲାନାଙ୍କୁ ହେପାଜତରେ ନେଇଥିଲା । ଜେରା ସମୟରେ ମୌଲାନାଙ୍କ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଥିଲା । ତାଙ୍କ ଫୋନରେ ୭ ସନ୍ଦିଗ୍ଧ ପାକିସ୍ତାନୀ ଓ ଆଫଗାନିସ୍ତାନୀ ହ୍ୱାଟ୍ସଆପ ଗ୍ରୁପ ମିଳିଥିଲା । ପୋଲିସ ମୌଲାନାଙ୍କୁ ପଚରା ଉଚୁରା କରୁଛି ଯେ, ସେ ପାକିସ୍ତାନରେ କେଉଁ ଲୋକଙ୍କ ସଂପର୍କରେ ଥିଲେ ଏବଂ ଏହା ପଛର ଉଦ୍ଦେଶ କଣ ଥିଲା ।
ଧାରି ପୋଲିସ ଷ୍ଟେସନ ମୌଲାନାଙ୍କ ବିରୋଧରେ କେସ ରୁଜୁ କରିଛି । ମୌଲାନା ମୂଳତଃ ଅହମ୍ମଦାବାଦର ବାସିନ୍ଦା ଏବଂ ଅମରେଲିରେ ମଦରସା ଚଲାଉଥିଲେ ।