ନୂଆଦିଲ୍ଲୀ: ହରିୟାଣା ରାଜନୀତି ପାଣିପାଗ ଏବେ ସରଗରମ ରହିଛି । କଂଗ୍ରେସ ଅଲମ୍ପିଆନ୍ ଭିନେଶ ଫୋଗାଟଙ୍କୁ ମଇଦାନକୁ ଓହ୍ଲାଇଥିବାବେଳେ ବିଜେପି କ୍ୟାପଟେନ୍ ୟୋଗେଶ ବୈରାଗୀଙ୍କ ଉପରେ ବିଶ୍ୱାସ ବଢ଼ାଇଛି । ବିଜେପିରୁ ୟୋଗେଶ ବୈରାଗୀ ଭିନେଶଙ୍କ ବିରୁଦ୍ଧରେ ଲଢ଼େଇ କରିବେ । ମଙ୍ଗଳବାର ଦଳ ପକ୍ଷରୁ ଜାରି କରାଯାଇଥିବା ଦ୍ଵିତୀୟ ପ୍ରାର୍ଥୀ ତାଲିକାରୁ ଏହା ସ୍ପଷ୍ଟ ହୋଇଛି ।
ଆଜି ଭାରତୀୟ ଜନତା ପାର୍ଟୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୨୧ ଜଣ ନାମ ଘୋଷଣା କରାଯାଇଛି । ପୂର୍ବରୁ ଦଳ ୬୭ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବାବେଳେ ମୋଟ ୮୮ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି । ଆହୁରି ୨ଟି ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।
ନାରାୟଣଗଡ଼ରୁ ପବନ ସୈନୀ, ପେହୋବାରୁ ଜୟ ଭଗବାନ ଶର୍ମା, ଜୁଲାନାରୁ କ୍ୟାପଟେନ ଯୋଗେଶ ବୈରାଗୀ, ପୁଂଡରୀରୁ ସତପାଲ ଜାଂବା, ଅସଂଧରୁ ଯୋଗେନ୍ଦ୍ର ରାଣା, ଗନ୍ନୌରରୁ ଦେବେନ୍ଦ୍ର କୌଶିକ, ରାଈରୁ କ୍ରୀଷ୍ଣା ଗେହଲାବତ, ବରୌଦାରୁ ପ୍ରଦୀପ ସାଙ୍ଗବାନ, ନରବାନାରୁ କୃଷ୍ଣା କୁମାର ବେଦୀ ଓ ଏଲେନାବାଦରୁ ଅମୀର ଚନ୍ଦ ମେହତା ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି ।
ହରିୟାଣାର ୯୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର ୫ ତାରିଖରେ ମତଦାନ ହେବ । ଭୋଟ୍ ଗଣତି ଅକ୍ଟୋବର ୮ ତାରିଖରେ ହେବ ।