ଚଣ୍ଡିଗଡ: ଜୁଲାନା ଆସନରୁ ପହିଲମାନ ଭିନେଶ ଫୋଗାଟଙ୍କୁ ଟିକେଟ୍ ମିଳିବା ପରେ ହରିୟାଣା କଂଗ୍ରେସରେ ନେତାଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ଟିକେଟ୍ ପାଇବାକୁ ଥିବା ଅନେକ ଆଶାୟୀ ଫୋଗାଟଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ଏହା ସହିତ ଟିକେଟ୍ ବଣ୍ଟନକୁ ନେଇ ଏଆଇସିସି କାର୍ଯ୍ୟାଳୟ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି । ନିକଟରେ ଫୋଗାଟ୍ କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କ ସହ ପହିଲମାନ ବଜରଙ୍ଗ ପୁନିଆ ମଧ୍ୟ ହାତ ଧରିଛନ୍ତି ।
ହରିୟାଣାର ୯୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର ୫ ତାରିଖରେ ମତଦାନ ହେବ । ଭୋଟ୍ ଗଣତି ଅକ୍ଟୋବର ୮ ତାରିଖରେ ହେବ । ଅନ୍ୟପଟେ ଫୋଗାଟଙ୍କ ସମ୍ମାନରେ ବଖତା ଖେଡା ଗାଁରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଜୁଲାନା ସିଟରୁ ଟିକେଟ୍ ପାଇଁ ଥିବା ଅନେକ ଆଶ୍ୟାୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି । ଏହି ନେତାଙ୍କ ମଧ୍ୟରେ ପରମିନ୍ଦର ସିଂ ଧୁଲ, ଧର୍ମେନ୍ଦ୍ର ଧୁଲ ଓ ରୋହିତ ଦଲାଲ ସମେତ ଅନେକ ନାଁ ସାମିଲ । ଏହି ସବୁ ଫୋଗାଟଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିବା ନେଇ ଅସନ୍ତୁଷ୍ଟ ଅଛନ୍ତି ।
ସ୍ଥାନୀୟ ନେତାଙ୍କ ଅନୁସାରେ ସେମାନଙ୍କ କାମକୁ ଦଳ ଅଣଦେଖା କରିଛି ଏବଂ ଆମକୁ ରାସ୍ତାରେ ଛିଡା କରାଇ ଦିଆଯାଇଛି । ତେବେ ଫୋଗାଟଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ କିଛି ଟିକେଟ୍ ଆଶାୟୀ ନେତା ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବହୁତ କମ ଲୋକ ସାମିଲ ହୋଇଥିବା କୁହାଯାଉଛି । କଂଗ୍ରେସରୁ ଟିକେଟ୍ ମିଳିବା ପରେ ଭିନେଶ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଛନ୍ତି । ସେ ପୌଲି ଗାଁରୁ ରୋଡ୍ ଶୋ କରିଥିଲେ ।