ଆନ୍ଧ୍ରପଦେଶ: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଅଘଟଣ । ସୋମବାର ତିରୁପତି ମନ୍ଦିରରେ ଥିବା ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ସେଠାରେ ଥିବା ଭକ୍ତମାନେ ଭୟଭୀତ ହୋଇ ଦୌଡିଥିଲେ । ପୂରା ମନ୍ଦିର ସହ ଚାରିପାଖ ଧୂଆଁମୟ ହୋଇଯାଇଥିଲା । ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭାଇବା ପାଇଁ ପ୍ରଶାସନ ଉଦ୍ୟମକୁ ଜୋରଦାର କରିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି ।
ତିରୁପତି ମନ୍ଦିରରେ ଏବେ ଦଶ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନ ଉତ୍ସବ ଚାଲିଛି । ଏଥିପାଇଁ ଦେଶରୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ସମାଗମ ଛୁଟୁଛି । ଗତ ୮ ତାରିଖରେ ତିରୁପତି ମନ୍ଦିରରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା । ମନ୍ଦିର ବାହାରେ ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ ।
ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଆଗୁଆ ଟିକଟ ବୁକ୍ କରିବା ପାଇଁ ଭକ୍ତଙ୍କ ଗହଳି ଜମିଥିଲା । ଯେଉଁଥିପାଇଁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।