ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆଶାନୁସାରେ ଯଥେଷ୍ଟ ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ରତ୍ନ ଭଣ୍ଡାର ମରାମତି କାମ ଶେଷ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ଆସନ୍ତା ଜାନୁୟାରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସଦ୍ୟତମ ସୂଚନା ମୁତାବକ, ରତ୍ନ ଭଣ୍ଡାର ମରାମତି କାମ ମକର ସଂକ୍ରାନ୍ତି ସ୍ଥଗିତ ରହିଥିଲା ।ଆସନ୍ତା ୧୭ କିମ୍ବା ୧୮ ତାରିଖରୁ ପୁଣି ଥରେ କାର୍ୟ୍ୟ ଆରମ୍ଭ ହେବ । ଏଏସଆଇ ଯେଉଁ ୨ରୁ ୩ ମାସ ଅବଧି ମାଗିଥିଲେ ସେହି ଅନୁସାରେ କାର୍ଯ୍ୟରେ ଅଗ୍ରଗତି ହେଉଛି । ଏଏସଆଇ ମାଗିଥିବା ସମୟ ପୂର୍ବରୁ ମରାମତି କାମ ଶେଷ ହେବ । ଏହା ପରେ ତୁରନ୍ତ ରତ୍ନଗୁଡ଼ିକୁ ଭଣ୍ଡାର ଭିତରକୁ ନିଆଯାଇ ଗଣତି ମଣତି ଆରମ୍ଭ ହେବା ନେଇ ସେ ସୂଚନା ଦେଇଛନ୍ତି ।
ସେହିପରି ଆସନ୍ତା ଜାନୁୟାରୀ ୨୦ ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହେବ । ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିରରୁ ମାର୍କେଟ ଛକ ଯାଏ ଧାଡ଼ି ହେବ। ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହାଛଡ଼ା ସେଠାରେ କୁଲର ଓ ଫ୍ୟାନ୍ ର ବ୍ୟବସ୍ଥା ବି କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା, ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ହୋଇଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ । ତେବେ ସମସ୍ତ ଭକ୍ତମାନେ ସାତପାହାଚ ଦ୍ୱାର ଦେଇ ପ୍ରବେଶ କରିବାକୁ ଥିବାବେଳେ ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟି ଦ୍ୱାର ପ୍ରସ୍ଥାନ କରିବେ ଏବଂ ପୁରୁଷ ଭକ୍ତମାନେ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ।