ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ରଜୌରୀ ଜିଲ୍ଲାରେ ଏକ ଅଘଟଣ ଘଟିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ମଙ୍ଗଳବାର ସକାଳ ୧୦ଟା ବାଜି ୪୫ ମିନିଟ୍ ସମୟରେ ସେନାର ଟିମ୍ ନୌସେରା ସେକ୍ଟରର ଖମ୍ବା ଦୁର୍ଗ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେନାର ଯବାନମାନେ ତଳେ ବିଛା ଯାଇଥିବା ଲ୍ୟାଣ୍ଡମାଇନ୍ ବିଷୟରେ ଜାଣିପାରି ନ ଥିଲେ । ଭୁଲବଶତଃ ଜଣେ ଯବାନ ଲ୍ୟାଣ୍ଡମାଇନ ଉପରେ ପାଦ ରଖିଥିଲ ଏବଂ ତୁରନ୍ତ ସେଠାରେ ବଡ଼ ବିସ୍ଫୋରଣ ହୋଇଥିଲା । ଯାହା ଦ୍ୱାରା ୬ ଜଣ ଯବାନ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଅଧିକାରୀଙ୍କ କହିବା ମୁତାବକ, ଏଲଓସି ନିକଟରେ କେତେକ ସ୍ଥାନରେ ବାରୁଦ ସୁଡ଼ଙ୍ଗ ରହିଛି, ଯାହାକି ବର୍ଷା ସମୟରେ ବୋହି ଯାଇଥାଏ । ଫଳରେ ଏଭଳି ଦୁର୍ଘଟମା ଘଟିଥାଏ ।