ନୂଆଦିଲ୍ଲୀ: "ଆଇ ଲଭ୍ ମହମ୍ମଦ" ପୋଷ୍ଟର ବିବାଦକୁ ନେଇ ଜାରି ଉତ୍ତେଜନା ମଧ୍ୟରେ ଉତ୍ତର ପ୍ରଦେଶର ବରେଲି ଡିଭିଜନରେ ଗୁରୁବାରଠାରୁ ଶନିବାର ଯାଏ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାଜ୍ୟ ଗୃହ ବିଭାଗ ଏହି ନିଷ୍ପତ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ରାପିଡ୍ ଆକ୍ସନ୍ ଫୋର୍ସ, ପୋଲିସ ଏବଂ ରାଜ୍ୟ ପ୍ରୋଭିନ୍ସିଆଲ୍ ଆର୍ମଡ୍ କନଷ୍ଟାବୁଲରୀ (PAF) କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଆଦେଶ ଜାରି କରି ଗୃହ ସଚିବ ଗୌରବ ଦୟାଲ କହିଛନ୍ତି ଯେ ଫେସବୁକ୍, ୟୁଟ୍ୟୁବ୍ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ମେସେଜିଂ ସେବା ଗୁଜବ ପ୍ରସାର କରିବା ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଅପବ୍ୟବହାର ହେବାର ସମ୍ଭାବନା ରହିଛି । ଶାନ୍ତି ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଏହି ମାମଲାରେ ଆଇଏମସି ମୁଖ୍ୟ ମୌଲାନା ତୌକୀର ରଜାଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇଛି । ଗତ ସପ୍ତାହରେ ନମାଜ ପାଠ ପରେ ହିଂସା ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀ ମୁସଲମାନମାନେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଉପରକୁ ପଥର ମାଡ଼ କରିବାରୁ ଲାଠିଚାର୍ଜ କରାଯାଇଥିଲା । ଏଥିରେ ବହୁତ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।