ନୂଆଦିଲ୍ଲୀ: ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ 'ଆଦାନୀ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍' 'ଇଣ୍ଡୋ-ରସିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍' ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଛି। ଏହି ଚୁକ୍ତି ଅନୁଯାୟୀ, ଆଦାନୀ ଗ୍ରୁପ୍ ଆଗାମୀ ୫ ବର୍ଷ ପାଇଁ ଅତ୍ୟାଧୁନିକ AK-203 ରାଇଫଲ୍ ନିମନ୍ତେ ଆବଶ୍ୟକୀୟ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଯୋଗାଇବ।
ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ପ୍ରସ୍ତୁତ ହେଉଥିବା AK-203 ଅସଲ୍ଟ ରାଇଫଲ୍ ଏବଂ ଏହାର ୭.୬୨x୩୯ ମିମି କାଲିବରର କ୍ଷୁଦ୍ର ଗୋଳାବାରୁଦ ଏବେ ଦେଶ ଭିତରେ ସହଜରେ ଉପଲବ୍ଧ ହୋଇପାରିବ। ଏହି ବୁଝାମଣା ଦ୍ୱାରା ରାଇଫଲ୍ ଏବଂ ଗୋଳାବାରୁଦ ଉଭୟ ଏକକ ଘରୋଇ ସପ୍ଲାଇ ଚେନ୍ ଅଧୀନକୁ ଆସିବେ, ଯାହାକି ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ନିର୍ଭରଶୀଳତାକୁ ବହୁ ପରିମାଣରେ ହ୍ରାସ କରିବ।
ଉତ୍ତର ପ୍ରଦେଶର ଅମେଠିରେ ହେଉଛି ନିର୍ମାଣ
ଉଲ୍ଲେଖଯୋଗ୍ୟ ଭାରତ ଓ ରୁଷିଆର ମିଳିତ ଉଦ୍ୟମରେ ଉତ୍ତର ପ୍ରଦେଶର ଅମେଠିସ୍ଥିତ କୋରବା ପ୍ଲାଣ୍ଟରେ AK-203 ରାଇଫଲ୍ଗୁଡ଼ିକର ଉତ୍ପାଦନ କରାଯାଉଛି। ଇଣ୍ଡୋ-ରସିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (IRRPL) ଏକ ଜଏଣ୍ଟ ଭେଞ୍ଚର୍ ହୋଇଥିବାବେଳେ, ଏଥିରେ ଭାରତୀୟ ଏବଂ ରୁଷୀୟ କମ୍ପାନୀଗୁଡ଼ିକର ଅଂଶଦାନ ରହିଛି। ସରକାରୀ ଯୋଜନା ଅନୁଯାୟୀ, ଏହି ପ୍ଲାଣ୍ଟରେ ମୋଟ ୬ ଲକ୍ଷରୁ ଅଧିକ AK-203 ରାଇଫଲ୍ ତିଆରି କରାଯିବାର ଲକ୍ଷ୍ୟ ରହିଛି।
ଆଦାନୀ ଡିଫେନ୍ସର ବଡ଼ ଲକ୍ଷ୍ୟ
ଆଦାନୀ ଡିଫେନ୍ସ ଆଣ୍ଡ ଏରୋସ୍ପେସ୍ର ସିଇଓ ଆଶିଷ ରାଜବଂଶୀଙ୍କ କହିବା ଅନୁଯାୟୀ, କମ୍ପାନୀର ମୂଳ ଲକ୍ଷ୍ୟ କେବଳ ହାର୍ଡୱେର ଯୋଗାଇବା ନୁହେଁ, ବରଂ ଭାରତରେ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ପାଇଁ ଏକ ଦୃଢ଼ ଉତ୍ପାଦନ ଭିତ୍ତିଭୂମି ପ୍ରସ୍ତୁତ କରିବା। ବର୍ତ୍ତମାନ ଆଦାନୀ ଡିଫେନ୍ସ ପାଖରେ ବର୍ଷକୁ ପ୍ରାୟ ଏକ ଲକ୍ଷ ଅସ୍ତ୍ରଶସ୍ତ୍ର ତିଆରି କରିବାର କ୍ଷମତା ରହିଛି। ଏହି ନୂତନ ଚୁକ୍ତି ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
Also Read: ତଲାକ୍ ପରେ ପ୍ରମାଣପତ୍ରରେ ପିଲାଙ୍କ ବାପାଙ୍କ ନାମ ବଦଳାଇବାକୁ ସ୍ତ୍ରୀଙ୍କ ଦାବି, ହାଇକୋର୍ଟ ଶୁଣାଇଲେ ଏହି ରାୟ