ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭାରତ ଇତିହାସର ସବୁଠାରୁ ବଡ଼ ମାଓ ହିଂସା ଭାବେ ପରିଚିତ ଝୀରମ ଘାଟି ଆକ୍ରମଣ ମାମଲାରେ ରାୟ ପ୍ରକାଶ ପାଇଛି । ଶନିବାର ଜଗଦଲପୁରସ୍ଥିତ ଏନଆଇଏ ସ୍ୱତନ୍ତ୍ର ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଏନଆଇଏ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଗତ ଅଗଷ୍ଟ ୧୨ ତାରିଖରେ ଏନଆଇଏ ସ୍ୱତନ୍ତ୍ର ଅଦାଲତ ମାମଲାର ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ । ପ୍ରଥମେ ୩୧ ଅଗଷ୍ଟରେ ରାୟ ପ୍ରକାଶ ପାଇବା ନେଇ ଦିନ ଧାର୍ୟ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଅଦାଲତ ସେପ୍ଟେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ମୋଟ ୧୦୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ମାତ୍ର ପ୍ରତିପକ୍ଷଙ୍କ ପକ୍ଷରୁ ନିଜକୁ ସାବ୍ୟସ୍ତ କରିବାକୁ ଗୋଟିଏ ଉପସ୍ଥାପନ କରିପାରିନଥିଲେ ।
କଂଗ୍ରେସ ଶୋଭାଯାତ୍ରା ଉପରେ ହୋଇଥିଲା ଗୁଳି ବର୍ଷା
୨୫ ମେ, ୨୦୧୩ ମସିହାରେ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦରଭା ଥାନା ଅନ୍ତର୍ଗତ ଝୀରମ ଘାଟିଠାରେ ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଥିଲା । କଂଗ୍ରେସର ଶୋଭାଯାତ୍ରା ଉପରେ ମାଓବାଦୀମାନେ ଅତର୍କିତ ଗୁଳି ବର୍ଷା କରିଥିଲେ । ମେ ୨୫ ଓ ୨୬ରେ ନକ୍ସଲଙ୍କ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିବାବେଳେ ଛତିଶଗଡ଼ କଂଗ୍ରେସ ପକ୍ଷରୁ ‘ପରିବର୍ତ୍ତନ ଯାତ୍ରା’ର ଆୟୋଜନ କରାଯାଇଥିଲା । ଯେଉଁଥିରେ ତମାମ କଂଗ୍ରେସ ନେତା ସାମିଲ ଥିଲେ । ଏହି ଶୋଭାଯାତ୍ରା ଝୀରମ ଘାଟି ଅତିକ୍ରମ କରୁଥିବାବେଳେ ପ୍ରାୟ ୧୫୦ ପାଖାପାଖି ମାଓବାଦୀ ଆକ୍ରମଣ କରିଥିଲେ । ଚାହୁଁ ଚାହୁଁ ଆଖି ପିଛୁଳାକେ ଗୁଳି ବର୍ଷା କରିଥିଲେ ।
୩ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ
ଏଥିରେ ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର କର୍ମା, ଛତିଶଗଡ଼ କଂଗ୍ରେସ ସଭାପତି ନନ୍ଦ କୁମାର ପଟେଲ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟା ଚରଣ ଶୁକ୍ଳାଙ୍କ ସମେତ ମୋଟ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା ।
୧୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ
ମାମଲାର ଗମ୍ଭୀରତାକୁ ଦେଖି ଏହାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା । ଯେଉଁଥିରେ ଏନଆଇଏ ତଦନ୍ତ କରି ୨୦୧୫ ମସିହାରେ ଏକ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ମୋଟ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଗୁରୁତର ଆହତ ହୋଇଥିଲେ । ମାତ୍ର ଏନଆଇଏ ତାର ରିପୋର୍ଟରେ ୨୭ ଜଣଙ୍କୁ ମୃତ ଦର୍ଶାଇଛି । ଏହା ସହିତ ୧୧ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଏହାରି ମଧ୍ୟରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ହୋଇସାରିଥିବାବେଳେ ୧୦ ଜୀବିତ ଅଛନ୍ତି । ସମସ୍ତେ ଜଗଦଲପୁର ମଣ୍ଡଳ କାରଗାରରେ ବନ୍ଦୀ ଅଛନ୍ତି ।