ଭୁବନେଶ୍ୱର: ଆଜିକୁ ପାଞ୍ଚ ବର୍ଷ ହୋଇଗଲା ଭାରତୀୟ ସିନେମା ଜଗତରେ ସୃଷ୍ଟି ହୋଇଥିବା ଏକ ଅପୂରଣୀୟ କ୍ଷତିକୁ । ଭାରତୀୟ ସିନେମା ତଥା ବିଶ୍ୱର ଅନେକ ସିନେମାରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଇରଫାନ ଖାନ ଆଜିର ଦିନରେ ଏକ ଅଫେରନ୍ତା ଦୁନିଆକୁ ଚାଲିଯାଇଥିଲେ । ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଏଣ୍ଡୋକ୍ରାଇନ୍ ଟ୍ୟୁମର ସହ ଲଢେଇକରି ୨୯ ଏପ୍ରିଲ, ୨୦୨୦ ମସିହାରେ ସେ ନିଜର ଶେଷ ନିଶ୍ୱାସ ନେଇଥିଲେ । ନିଜର ତିନି ଦଶନ୍ଧି ବ୍ୟାପ୍ତ କରିଅରରେ ଇର୍ଫାନ୍ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ ।
ଇର୍ଫାନ୍ ଙ୍କ ଅଭିନୟ ପ୍ରତିଭା ଖୁବ ନିଆରା ଥିଲା । ତାଙ୍କର ଅଭିନୟ ଶୈଳୀ ପାଇଁ ସେ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇଥିଲେ । ତାଙ୍କର ନିଧନ ଭାରତୀୟ ଅଭିନୟ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମକବୂଲ, ହାଇଦର, ଲାଇଫ ଅଫ ପାଇ ଭଳି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ଖୁବ ଲୋକପ୍ରିୟତା ସାଉଁଟିଥିଲା । ତାଙ୍କର ଚାହାଣୀ ଓ ଅଦ୍ଵିତୀୟ ଅଭିନୟ ପ୍ରତିଭା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଆଜି ତାଙ୍କର ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କ ସମ୍ପର୍କିତ କିଛି ଅଭୁଲା ସ୍ମୃତି ଉପରେ ନଜର ପକାଇବା ।
- ୧୯୯୦ ମସିହାରେ ଇର୍ଫାନ୍ ଭୁବନେଶ୍ୱର ଆସିଥିଲେ ଏକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ । ଭୁବନେଶ୍ୱରରେ ତାଙ୍କ ରହଣିର ତିନି ଦିନ ମଧ୍ୟରେ ସେ ଓଡ଼ିଆ ଭାଷା ସହିତ ସମ୍ପୂର୍ଣ୍ଣ ଖାପ ଖୁଆଇ କଥାବାର୍ତା କରିବା ଆରମ୍ଭ କରିଦେଇଥିଲେ ।
- ଇଣ୍ଡିଆନ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ପାଠ ପଢ଼ୁଥିବା ବେଳେ ମାତ୍ର ୩୦୦ ଟଙ୍କା ପାରିଶ୍ରମିକରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆଧାରିତ ଏକ ଧାରାବାହିକରେ କାମ କରିଥିଲେ ।
- ଇର୍ଫାନ୍ ଗୁଡ଼ି ଉଡ଼ାଇବାକୁ ଖୁବ ଭଲ ପାଉଥିଲେ ।
- ୨୦୨୦ ମସିହାରେ ସେ ଯେବେ ଏଣ୍ଡୋକ୍ରାଇନ୍ ଟ୍ୟୁମର ସହ ଜୀବନ ପାଇଁ ଲଢେଇ କରୁଥିଲେ, ଭାରତରେ କରୋନା ପରିସ୍ଥିତି ଖରାପ ଅବସ୍ଥାରେ ପହଁଞ୍ଚିଥିଲା । ଏହି ସମୟରେ ମଧ୍ୟ ସେ ବହୁ ଅର୍ଥ ବିଭିନ୍ନ ସଂସ୍ଥାକୁ ଦାନ କରୁଥିଲେ ।
ତାଙ୍କ ଅଭିନୀତ କିଛି ଲୋକପ୍ରିୟ ସିନେମା:
ଦି ଲଞ୍ଚବକ୍ସ: ଇର୍ଫାନ୍ ଙ୍କ ଅଭିନୀତ ଏହି ଫିଲ୍ମକୁ ଯିଏ ଦେଖିଛି ସେ କେବେ ତାଙ୍କ ଅଭିନୟର ଯାଦୁଗରୀକୁ ଭୁଲିପାରିନାହିଁ । ଅତ୍ୟନ୍ତ ସରଳ, ସୁନ୍ଦର ଓ ମର୍ମସ୍ପର୍ଶୀ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ପାଇଁ ଇର୍ଫାନ୍ ଙ୍କୁ ବହୁ ସମ୍ମାନ ଓ ପୁରସ୍କାର ମିଳିଥିଲା । ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ସେ ପାଇଥିଲେ ।
ପାନ ସିଂ ତୋମାର: ତିଗମାଂଶୁ ଧୁଲିଆଙ୍କ ନିର୍ଦେଶିତ ଏହି ଅନନ୍ୟ ସିନେମାଟି ହୁଏତ ବକ୍ସ ଅଫିସରେ ଚାଲିପାରିନଥିଲା, ମାତ୍ର ଦର୍ଶକଙ୍କ ହୃଦୟରେ ଛାପ ଛାଡିବାରେ ଆଦୌ ବ୍ୟର୍ଥ ହୋଇନଥିଲା । ପାନ ସିଂ ତୋମାର ଜଣେ ଭାରତୀୟ ଯବାନ ଥିଲେ ଓ ସେ ଜଣେ ଭଲ ଖେଳାଳି ମଧ୍ୟ ଥିଲେ । ମାତ୍ର ତାଙ୍କ ମା'ଙ୍କୁ ହତ୍ୟା କରାଯିବା ପରେ ସେ କିପରି ସିଷ୍ଟମ ଖିଲାପରେ ଠିଆ ହେଉଛନ୍ତି ତାହା ଥିଲା କାହାଣୀର ମୁଖ୍ୟ ଆକର୍ଷଣ । ସମ୍ପୂର୍ଣ୍ଣ ସିନେମାକୁ ସେ ନିଜର କାନ୍ଧରେ ବହନ କରିଥିଲେ ।
ଲାଇଫ ଅଫ ପାଇ: ଆଙ୍ଗ ଲି'ଙ୍କ ନିର୍ଦେଶିତ ଏହି ସିନେମାରେ ଇର୍ଫାନ୍ ବୟସ୍କ 'ପାଇ'ର ଭୂମିକା ନିର୍ବାହ କରିଥିଲେ । ଯଦିଓ ସିନେମାଟି ଯୁବକ 'ପାଇ'ର ସଂଘର୍ଷ ଭରା କାହାଣୀ ଆଧାରିତ ଥିଲା, ଇର୍ଫାନ୍ ଙ୍କ କାହାଣୀ ବର୍ଣ୍ଣନା କରିବାର ନିଆରା ଶୈଳୀ ଦର୍ଶକଙ୍କୁ ଏହି ସିନେମାରେ ବାନ୍ଧିରଖିବା ସହିତ ପ୍ରତିଟି ମୁହୂର୍ତ୍ତକୁ ଅନୁଭବ କରାଇବାରେ ସଫଳ ହୋଇଥିଲା ।
ଇର୍ଫାନ୍ ଙ୍କ ଆବର୍ତ୍ତମାନରେ ଆଜି ସିନେମା ଜଗତ ତାଙ୍କୁ ମନେପକାଉଛି ଓ ଝୁରୁଛି । ସିନେମାପ୍ରେମୀଙ୍କ ହୃଦୟରେ ଚିରଦିନ ପାଇଁ ନିଜର ସ୍ଥାନ ପକ୍କା କରିଦେଇଯାଇଛନ୍ତି ସେ ।