ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ବନ ମୁକ୍ତ ରାଜ୍ୟର ସ୍ୱପ୍ନକୁ ସାକାର କରିବା ଦିଗରେ ଲଦାଖ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଏନଟିପିସି ସହଯୋଗରେ ଲେହରେ ବିଶ୍ୱର ସର୍ବୋଚ୍ଚ ସବୁଜ ହାଇଡ୍ରୋଜେନ ରିଫୁଏଲିଂ ଷ୍ଟେସନ ସମ୍ପୂର୍ଣ୍ଣ ହୋଇଛି। ଏବେ ଖୁବଶୀଘ୍ର ଲେହରେ ନିୟମିତ ଭାବେ ସବୁଜ ହାଇଡ୍ରୋଜେନରେ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିବ। ଏହି ବସ୍ ଗୁଡ଼ିକର ପରୀକ୍ଷଣ ସଫଳ ହୋଇସାରିଛି। ଅଗଷ୍ଟ ୨୦୨୨ରେ ପ୍ରଧାନମନ୍ତ୍ରୀ ଏହି ପେଟ୍ରୋଲ ଷ୍ଟେସନର ଶିଳାନ୍ୟାସ କରିଥିଲେ।
ସବୁଜ ହାଇଡ୍ରୋଜେନକୁ ବିଶ୍ୱର ସବୁଠାରୁ ସ୍ୱଚ୍ଛ ଇନ୍ଧନ ଭାବରେ ବିବେଚନା କରାଯାଏ ଏବଂ ଏହା କୌଣସି ପ୍ରଦୂଷଣ ସୃଷ୍ଟି କରେ ନାହିଁ।| ଏହା କେବଳ ଉପ-ଉତ୍ପାଦ ଭାବରେ ଜଳ ଛାଡ଼େ। ଏହି ପ୍ରକଳ୍ପ ହିମାଳୟ ରାଜ୍ୟ ଏବଂ ଦେଶର ଅନ୍ୟ ପ୍ରଦୂଷିତ ସହରପାଇଁ ଏକ ଉଦାହରଣ ପାଲଟିପାରେ। ପାହାଡ଼ିଆ ରାଜ୍ୟର ଲେହ ସହର ନିକଟସ୍ଥ ଚୋଗଲାଗସାରରେ ପ୍ରାୟ ୧୧୫୦୦ ଫୁଟ ଉଚ୍ଚତାରେ ଏହି ଷ୍ଟେସନ ନିର୍ମାଣ କରାଯାଇଛି। ଏହାପରେ କାର୍ଗିଲରେ ସବୁଜ ହାଇଡ୍ରୋଜେନ ଷ୍ଟେସନ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି।
ଲଦାଖ ଉପରାଜ୍ୟପାଳ ବିଡି ମିଶ୍ର ସବୁଜ ହାଇଡ୍ରୋଜେନରୁ ବିଜୁଳି ଉତ୍ପାଦନ ପାଇଁ ବିକଳ୍ପ ଖୋଜିବାକୁ ଏନଟିପିସିକୁ କହିଛନ୍ତି। ଏହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ଥିବା ଡିଜେଲ ଜେନେରେଟରରୁ ଧୂଆଁର ଚିହ୍ନ ଦୂର ହୋଇପାରିବ। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍ ସହ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଚୁଶୁଲରେ ସବୁଜ ହାଇଡ୍ରୋଜେନରୁ ୨୦୦ କିଲୋୱାଟ୍ କ୍ଷମତା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଏହି ସ୍ୱଚ୍ଛ ଶକ୍ତି ପ୍ରକଳ୍ପରେ ସେନା ଓ ଏନଟିପିସି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନଟିପିସି ଅନ୍ୟ ଦୁର୍ଗମ ଅଂଚଳରେ ଏଭଳି ପ୍ରକଳ୍ପ ହାତକୁ ନେବାକୁ ପ୍ରସ୍ତୁତ ହେଉଛି। ଲଦାଖରେ ହାଇଡ୍ରୋଜେନରେ ବସ୍ ଚଳାଇବା ପ୍ରକଳ୍ପ ସହ ଜଡିତ ଆଇଏଏସ ଅଧିକାରୀ ଅମିତ ଶର୍ମା କହିଛନ୍ତି ଯେ ଲଦାଖର ପରିବେଶ ସୁରକ୍ଷା ଦିଗରେ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ବସ୍ ର ପରୀକ୍ଷଣ ସଫଳ ହୋଇଛି। ଲଦାଖରେ ପ୍ରାୟ ବର୍ଷସାରା ଖରା ରହିଥାଏ। ଏଭଳି ସ୍ଥିତିରେ ସୌର ଶକ୍ତିରୁ ହାଇଡ୍ରୋଜେନ୍ ଉତ୍ପାଦନ କରି ଇନ୍ଧନ କୋଷରେ ସଂରକ୍ଷଣ କରିବା ସହଜ।
ଅଧିକ ପଢ଼ନ୍ତୁ: ନଡ଼ା ଜଳାଇବାରୁ ୧୦ ଲକ୍ଷ ଟଙ୍କା ଜରିମାନା