ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିଜୟ ପରେ ବେଙ୍ଗାଲୁରୁରେ ଉତ୍ସବ ସ୍ୱାଭାବିକ ଥିଲା। କିନ୍ତୁ ଷ୍ଟାଡିୟମ ବାହାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ସତ୍ତ୍ୱେ ଚିନ୍ନାସ୍ୱାମୀ ଷ୍ଟାଡିୟମ ଭିତରେ ଯେପରି ଉତ୍ସବ ଜାରି ରହିଥିଲା ତାହା ଅସମ୍ବେଦନଶୀଳତାର ଚରମ ସୀମା ଥିଲା। ଘଟଣାର କିଛି ଘଣ୍ଟା ପରେ ଆରସିବି ଏବଂ ବିରାଟ କୋହଲି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶୋକ ପ୍ରକାଶ କରିଥିଲେ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଆରସିବିର ବିଜୟ ଉତ୍ସବ ପରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ପରେ ବୁଧବାର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ପ୍ରାର୍ଥନା କରିଛନ୍ତି।
ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଡିକେ ଶିବକୁମାର କହିଛନ୍ତି, ଏହା ହେବା ଉଚିତ୍ ନଥିଲା ଏବଂ ଆମେ ଏତେ ବିଶାଳ ଭିଡ଼ ଆଶା କରିନଥିଲୁ। ଷ୍ଟାଡିୟମର କ୍ଷମତା ୩୫,୦୦୦। କିନ୍ତୁ ୩ଲକ୍ଷରୁ ଅଧିକ ଲୋକ ଥିଲେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଷ୍ଟାଡିୟମର ଫାଟକ ଭାଙ୍ଗି ଯାଇଥିଲା। ଏହି ଘଟଣା ପାଇଁ ଆମେ ଦୁଃଖିତ। ଗୁରୁବାର କ୍ୟାବିନେଟ ବୈଠକ ବ୍ୟତୀତ ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ବିଶ୍ୱ ପରିବେଶ ଦିବସ ସମେତ କୌଣସି ଉତ୍ସବ ହେବ ନାହିଁ।
ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ କର୍ଣ୍ଣାଟକ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ ସରକାର ଆହତମାନଙ୍କୁ ମାଗଣା ଚିକିତ୍ସା ମଧ୍ୟ ଯୋଗାଇବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୟ ଉତ୍ସବ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହା ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଘଟିଥିଲା। ମୃତକଙ୍କ ପାଇଁ ସରକାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ସରକାର ମାଗଣା ଚିକିତ୍ସା ଯୋଗାଇବେ।
ଅଧିକ ପଢ଼ନ୍ତୁ: ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିବ ଭାରତୀୟ ରେଳବାଇ