ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ। ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ କିଶୋର | ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା । ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ଏସୀୟ କ୍ରୀଡ଼ାରେ ଖେଳାଯାଇଥିବା ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି | ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଶୋରଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ବେଶ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି | ନିଜର ଉଚ୍ଚକୋଟୀର ପ୍ରଦର୍ଶନ ମାଧ୍ୟମରେ ସେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିଛନ୍ତି ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ | କିଶୋରଙ୍କ ପ୍ରଶଂସାରେ କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିର୍ଟର ଆକାଉଣ୍ଟରେ ଲେଖିଥିଲେ "କିଶୋରଙ୍କ ଆତ୍ମବିଶ୍ୱାସ, ପରିଶ୍ରମ ଓ ଆଗକୁ ବଢିବାର ଅଭିଳାଷ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ଆମ ଦେଶକୁ ଗର୍ବିତ କରିଥିବାରୁ ଶୁଭେଚ୍ଛା । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।" ସୂଚନାନୁଯାୟୀ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ଜାଭେଲିନ୍ ଥ୍ରୋ କିଶୋର ଜେନାଙ୍କ ସହ ଟେଲିଫୋନ୍ରେ ବାର୍ତ୍ତାଳାପ କରିଥିଲେ | ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତିଥିବାରୁ କିଶୋରଙ୍କୁ ଅଭିନନ୍ଦନ ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ। ନିଜର ଏକ୍ସ ଆକାଉଣ୍ଟରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ପୁଅ କିଶୋର ଜେନାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଉଭୟ ରାଜ୍ୟ ଓ ଦେଶକୁ ଗୌରବ ଆଣିଦେଇଛନ୍ତି ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନା |
ସୂଚନା ଯୋଗ୍ୟ ଯେ, ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚି କ୍ରୀଡ଼ାଜଗତରେ ଚମକିଥିଲେ ଓଡ଼ିଆ ପୁଅ କିଶୋର କୁମାର ଜେନା । ପୁରୁଷ ଜାଭେଲିନରେ ସେ ସମସ୍ତଙ୍କୁ ଜଳକା କରି ଜିତିଥିଲେ ରୌପ୍ୟ ପଦକ। ସେ ସ୍ୱର୍ଣ୍ଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ନିଜ ଜାଭେଲିନ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। କିଶୋର ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନୀରଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ। ସେ ଜାଭେଲିଙ୍ଗରେ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ | ନିଜର ଏହି ପ୍ରଦର୍ଶନ ବଳରେ କିଶୋର ଜେନା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସଫଳତାର ନୂଆ ସିଡି ଚଢ଼ିଛନ୍ତି । ଏହା କିଶୋର ଜେନାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଯାହା ଏହି ଏସୀୟ କ୍ରୀଡ଼ାରେ ବଦଳିଗଲା। ସବୁଠାରୁ ବଡ଼ କଥା ହେଉଛି କିଶୋର ଅଲିମ୍ପିକ୍ସରେ ମଧ୍ୟ ଚମକିବେ। କିଶୋରଙ୍କ ଏହି ସଫଳତା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟର ମାଧ୍ୟମରେ ଶୁଭେଚ୍ଛା ଜଣାଇ ଥିଲେ | ଦେଶକୁ ଗୌରବାନ୍ୱିତ କରିବା ପାଇଁ ତାଙ୍କ ଭିତରେ ଥିବା ଦୃଢ଼ ଇଚ୍ଛାଶକ୍ତି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ମୋର କାମନା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ଅଧିକ ପଢ଼ନ୍ତୁ : ପୁରୁଷ ଜାଭେଲିନରେ ଥ୍ରୋରେ ଭାରତକୁ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ : ଚମକିଲେ ଓଡିଆ ପୁଅ