ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସେ ଜମ୍ମୁ କଶ୍ମୀରରୁ ଆତଙ୍କବାଦୀମାନଙ୍କୁ କିଭଳି ମୂଳୋତ୍ପାଟନ କରାଯିବ ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଆହୁରି ଅଧିକ ତୀବ୍ର କରିବା ପାଇଁ ବ୍ୟାପକ ମାର୍ଗଦର୍ଶନ ଓ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସେହିପରି ସେ ବୈଠକରେ ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରାର ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଛନ୍ତି।
ଦିଲ୍ଲୀରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ, ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଓ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ସମେତ ଅନ୍ୟ ଶୀର୍ଷ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।
ଏହାରି ମଧ୍ୟରେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତ ୨ଟି ରାସ୍ତା ଉପରେ ସୁରକ୍ଷାବାହିନୀ ନଜର ରଖିଛନ୍ତି। ରିୟାସୀରୁ କଟରା ପର୍ଯ୍ୟନ୍ତ ୩୦କିମି ପର୍ଯ୍ୟନ୍ତ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା। ପ୍ରତି ବର୍ଷରେ ୨ ଜଣ ଅତିରିକ୍ତ ସୁରକ୍ଷାକର୍ମୀ। ୫ଟି ଅନ୍ୟ ସ୍ଥାନରେ ବେରିକେଡ ଓ ଯାତ୍ରୀମାନଙ୍କୁ ଟ୍ରାକିଂ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଅମରନାଥ ଯାତ୍ରା ପାଇଁ ସିଆରପିଏଫ୍ର ୩୦ ହଜାର ଯବାନ ମୁତୟନ ରହିବେ। ଜମମୁ କଶ୍ମୀର ପୁଲିସ ଓ ବିଏସ୍ଏଫ୍ର ଯବାନ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରିଛି। ଜମ୍ମୁରୁ ଗୁମ୍ଫା ପର୍ଯ୍ୟନ୍ତ ୬୦ ହଜାର ଯବାନ ମୁତୟନ ରହିବେ। ସେହିପରି ଯାତ୍ରା ମାର୍ଗରେ ସିସିଟିଭି କ୍ୟାମେରା ଲାଗିବ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ ବିରୋଧୀ ଅଭିଯାନ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।