ଅଲୱର: ରାଜସ୍ଥାନର ଅଲୱାର ଜିଲ୍ଲାରେ କାଉଡ଼ିଆମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ ଝୁଲନ୍ତା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଦୁଇଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। କାଉଡ଼ିଆଙ୍କ ଏକ ଗୋଷ୍ଠୀ ଏବଂ କିଛି ସ୍ଥାନୀୟ ଲୋକ ଗାଁର ପରିକ୍ରମା କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ପୋଲିସ କହିଛି, ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି।
ବିଚଗନୱା ଗାଁରେ ଏହି ଘଟଣା ପରେ, ସ୍ଥାନୀୟ ଲୋକମାନେ ଝୁଲନ୍ତା ବିଦ୍ୟୁତ୍ ତାରକୁ ବିରୋଧ କରି ଲକ୍ଷ୍ମଣଗଡ଼-ମୁଣ୍ଡାୱାର ରାସ୍ତା ଅବରୋଧ କରିଛନ୍ତି। ସେମାନେ ଅଭିଯୋଗ କରିଥିଲେ ଯେ ଝୁଲନ୍ତା ତାର ବିଷୟରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।
ଲକ୍ଷ୍ମଣଗଡ଼ ତହସିଲଦାର ମମତା କୁମାରୀ କହିଛନ୍ତି ଯେ ସେ ଅଭିଯୋଗ ବିଷୟରେ ଅବଗତ ନାହାଁନ୍ତି। ପ୍ରଶାସନ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧାର ପ୍ରତିଶ୍ରୁତି ଗ୍ରାମବାସୀଙ୍କୁ ଦେଇଛି ଏବଂ ଘଟଣାର କାରଣ ବିଷୟରେ ବିସ୍ତୃତ ତଦନ୍ତର ପ୍ରତିଶ୍ରୁତି ଦେଇଛି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଗ୍ବାଲିୟରରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଦ୍ରୁତଗତିରେ ଯାଉଥିବା ଏକ କାର ଅନିୟନ୍ତ୍ରିତ ହୋଇ କାଉଡ଼ିଆମାନଙ୍କ ଉପରେ ଚଢ଼ି ଯାଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗ୍ୱାଲିୟର-ଶିବପୁରୀ ଲିଙ୍କ ରୋଡର ଶୀତଳା ମାତା ମନ୍ଦିର ଛକ ନିକଟରେ ଘଟିଥିଲା। ଦୁର୍ଘଟଣା ପରେ କାଉଡ଼ିଆମାନଙ୍କ ପରିବାର ମଧ୍ୟ ଘଟଣାସ୍ଥଳରେ ଏକାଠି ହୋଇ ରାଜପଥ ଅବରୋଧ କରିଥିଲେ।
ଅଧିକ ପଢ଼ନ୍ତୁ: ଟ୍ରେନ୍ରେ ଚିତାଭସ୍ମ ଚୋରି: ଚୋରକୁ ଧରିଲେ ଯାତ୍ରୀ