ନୂଆଦିଲ୍ଲୀ: ଭାରତରେ ବିମାନ ଉଡ଼ାଣରେ ଯାନ୍ତ୍ରିକ ତ୍ରୁଟିର ଧାରା ଥମିବାର ନାଁ ନେଉନାହିଁ। ୨୦୨୧ ମସିହାରୁ ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ୨୦୦୦ ରୁ ଅଧିକ ଯାନ୍ତ୍ରିକ ତ୍ରୁଟି ବିଷୟରେ ଡିଜିସିଏକୁ ରିପୋର୍ଟ କରାଯାଇଥିଲା। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
ଏହି ସଂଖ୍ୟାଗୁଡ଼ିକ ମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଡ଼ାଣରେ ସର୍ବାଧିକ ତ୍ରୁଟି ରେକର୍ଡ କରାଯାଇଛି। କେବଳ ୨୦୨୪ ମସିହାରେ ଏୟାର ଇଣ୍ଡିଆ ଗ୍ରୁପର ଉଡ଼ାଣରେ ୨୫୦ ରୁ ଅଧିକ ଯାନ୍ତ୍ରିକ ସମସ୍ୟା ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ଯେ ଦେଶର ସବୁଠାରୁ ପୁରୁଣା ବିମାନ କମ୍ପାନୀକୁ ଏହାର ଯାନ୍ତ୍ରିକ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ।
ଯାନ୍ତ୍ରିକ ତ୍ରୁଟି ଅର୍ଥ ବିମାନଟି ଉଡ଼ାଣ ସମୟରେ ଇଞ୍ଜିନ୍ ବିଫଳତା, ସଫ୍ଟୱେର୍ ତ୍ରୁଟି, ଲ୍ୟାଣ୍ଡିଂ ଗିଅର୍ ତ୍ରୁଟି ଏବଂ ସିଷ୍ଟମ୍ ଆଲର୍ଟ ଭଳି ସମସ୍ୟାର ଉପୁଜିଥାଏ। ତଥାପି DGCA ଅନୁଯାୟୀ ଅଧିକାଂଶ ତ୍ରୁଟି ଉଡ଼ାଣ ପୂର୍ବରୁ ସଂଶୋଧନ କରାଯାଇଥିଲା ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ସାଲିସ କରାଯାଇ ନଥିଲା। ଏବେ DGCA ଏହି ସମସ୍ତ ତ୍ରୁଟିର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏବଂ ସଂଶୋଧନମୂଳକ ପଦକ୍ଷେପ ନେବାକୁ ବିମାନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
ଏହା ବ୍ୟତୀତ, ଡିଜିସିଏ ଅନ୍ତର୍ଜାତୀୟ ଏଜେନ୍ସି ଏଫଏଏ (ଫେଡେରାଲ ଏଭିଏସନ୍ ଏଜେନ୍ସି ଅଫ୍ ଆମେରିକା)ର ମାନଦଣ୍ଡ ଆପଣେଇବା ଆରମ୍ଭ କରିଛି। ଯାନ୍ତ୍ରିକ ତ୍ରୁଟି ସହିତ, ବିମାନ ଯାତ୍ରୀଙ୍କ ଅଭିଯୋଗ ସଂଖ୍ୟା କେମିତି କମ ହେବ ସେ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ୨୦୨୩ରେ, ଡିଜିସିଏକୁ ୫୫୦୦ରୁ ଅଧିକ ଅଭିଯୋଗ ମିଳିଥିଲା। ତେବେ ୨୦୨୫ରେ ଜୁଲାଇ ୧୪ ପର୍ଯ୍ୟନ୍ତ ପ୍ରାୟ ୩୯୦୦ ଅଭିଯୋଗ ପଞ୍ଜିକୃତ ହୋଇଛି।