ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲ୍ଲାର ଚେମଙ୍କୁପମ୍ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେନ ଏକ ମାନବହୀନ ରେଳ କ୍ରସିଂରେ ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା। ଏଥିରେ ୩ ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଗୁରୁତର ଅଛନ୍ତି।
ସ୍କୁଲ ଭ୍ୟାନଟି ରେଳ ଟ୍ରାକ ପାର କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଚିଦାମ୍ବରମ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ ଭ୍ୟାନକୁ ଧକ୍କା ଦେଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଭ୍ୟାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଘଟଣାସ୍ଥଳେ ତିନି ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ବେଳକୁ ମୃତକମାନଙ୍କର ନାମ ଜଣାପଡ଼ି ନାହିଁ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସ୍କୁଲ ପିଲାମାନେ ଭ୍ୟାନରେ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ଆହତ ପିଲା ଏବଂ ଡ୍ରାଇଭରଙ୍କୁ ତୁରନ୍ତ କୁଡାଲୋରର ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ।
ସ୍ଥାନୀୟ ଲୋକ ଏବଂ ରେଳ ଅଧିକାରୀଙ୍କ ଅନୁଯାୟୀ, ଭ୍ୟାନ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଡ୍ରାଇଭର ଟ୍ରେନ୍ ଦେଖିବା ସତ୍ତ୍ୱେ ଶୀଘ୍ର ଟ୍ରାକ୍ ପାର ହେବାକୁ ଚେଷ୍ଟା କରିଥିଲେ। ରେଳ ସୁରକ୍ଷା ବଳ ଏବଂ ଜିଲ୍ଲା ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ଏହାର ପ୍ରକୃତ କାରଣ ଜଣାପଡିପାରିବ ଓ ଘଟଣା ପାଇଁ ଦାୟୀଙ୍କୁ ଦଣ୍ଡ ଦିଆଯାଇପାରିବ।
ଦୁର୍ଘଟଣାର ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଦୁଃଖ ଓ ଉତ୍ତେଜନା ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଏକାଠି ହୋଇ ରେଳ କ୍ରସିଂରେ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକମାନେ କହିଛନ୍ତି ଯେ ସ୍କୁଲ ପାଖରେ ଫାଟକ ନଥିବା କ୍ରସିଂଗୁଡ଼ିକ ବିପଦପୂର୍ଣ୍ଣ ଏବଂ ସେଗୁଡ଼ିକୁ ତୁରନ୍ତ ମରାମତି କରାଯିବା ଉଚିତ।
ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଏବଂ ଉଦ୍ଧାରକାରୀ ଦଳ ଆସିବା ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ। ଉତ୍ତେଜିତ ଲୋକେ ରେଳ ଏବଂ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ଏବଂ ସ୍କୁଲ ନିକଟରେ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଥିଲେ। ତଦନ୍ତର ଫଳାଫଳ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ଆଶ୍ୱାସନା ଦେଇଛନ୍ତି। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।