ଭାରତୀୟ ନୌସେନାର ଶକ୍ତି ହେବ ଦ୍ଵିଗୁଣ । ଚୀନ ଉପରେ ନଜର ରଖିବା ପାଇଁ ଭାରତ ତାର ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଥିବା ସେନା ଶକ୍ତିକୁ ବଢ଼େଇବାରେ ଲାଗିଛି । ଦିନକୁ ଦିନ ଚୀନ ସୀମାପାର କରିବାରେ ଲାଗିଛି । ସ୍ଥଳ ଭାଗରେ ଭାରତର ସୀମାକୁ ପାର କରିସାରିବା ପରେ ଏବେ ଚୀନ ଜଳପଥ ଉପରେ ନଜର ପକେଇଛି । ଆଉ ଚୀନର ଏହି ହିଂସାତ୍ମକ ନଜରକୁ ଦୃଷ୍ଟିରେ ରଖି ଭାରତ ତାର ନୌସେନା ଶକ୍ତି ବଢ଼ାଇବାକୁ ଯାଉଛି । ଭାରତ ମହାସାଗରୀୟ ଅଞ୍ଚଳରେ ସାମିଲ ହେବ ୧୭୫ ଯୁଦ୍ଧଜାହାଜ । ଆଗାମୀ ୨୦୩୫ ମସିହାରେ ୧୭୫ ଯୁଦ୍ଧଜାହାଜ ସାମିଲ ହେବ ବୋଲି ଲକ୍ଷ୍ୟରଖିଛି ଭାରତୀୟ ନୌସେନା ବିଭାଗ । ଏଥିସହିତ ୧୩୨ଟି ଯୁଦ୍ଧଜାହାଜ, ୧୪୩ ଯୁଦ୍ଧ ବିମାନ, ୧୩୦ ହେଲିକ୍ୟାପ୍ଟର କିଣିବାକୁ ଅନୁମତି ପାଇଛି ଭାରତୀୟ ନୌସେନା । ଚୀନ ବି ତାର ଯୁଦ୍ଧଜାହାଜ ନିର୍ମାଣ କରିବାରେ ପଛଘୁଞ୍ଚା ଦେଉନି । ଚୀନ ପାଖରେ ସବୁଠୁ ବଡ଼ ନୌସେନା ରହିଛି । ଯେଉଁ ନୌସେନାରେ ୩୩୫ଟି ଯୁଦ୍ଧ ଜାହାଜ ସହ ବୁଡ଼ାଜାହାଜ ମଧ୍ୟ ସାମିଲ କରିଛି । ଗତ ୧୦ ବର୍ଷ ମଧ୍ୟରେ ଚୀନ ତାର ନୌସେନାରେ ୧୫୦ଟି ଯୁଦ୍ଧ ଜାହାଜକୁ ସାମିଲ କରିଛି । ଆଉ ଆସନ୍ତା ୫ କି ୬ ବର୍ଷରେ ଚୀନ ନୌସେନାରେ ୫୫୫ଟି ଯୁଦ୍ଧ ଜାହାଜ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସୂଚନା ମିଳିଛି ।
ଚୀନ ହିଂସାତ୍ମକ ଭାବରେ ଭାରତ ଉପରେ ଆକ୍ରମଣ କରିବ ବୋଲି ନିଜର ନୌସେନାର ଶକ୍ତି ପର୍ଯ୍ୟାପ୍ତ ଥାଇ ମଧ୍ୟ ଆଗାମୀ ଭବିଷ୍ୟତରେ ଯୁଦ୍ଧଜାହାଜ ସଂଖ୍ୟା ବଢ଼େଇବାର ଯୋଜନା କରୁଛି। ଭାରତ ବି ତାର ନୌସେନାର ଶକ୍ତିକୁ ଆହୁରି ଶକ୍ତିଶାଳୀ କରିବ ପାଇଁ ଯୋଜନା କରିଛି । ଭାରତ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ୬୮ଟି ଯୁଦ୍ଧ ଜାହାଜର ଅର୍ଡର ଦେଇଛି । ଭାରତ ସ୍ଥଳଭାଗରେ ଶତ୍ରୁ ଉପରେ ନଜର ରଖିବା ପାଇଁ ଅତ୍ୟାଧୁନିକ ଭାବେ ଚାରିଗୋଡ଼ିଆ ଯନ୍ତ୍ର ନିର୍ମାଣ କରିଛି । ଭାରତକୁ ଆକ୍ରମଣ କରିବା ପାଇଁ ନଜର ରଖିଥିବା ଦେଶକୁ ମିଳିବ କଡ଼ା ଜବାବ । ଭାରତ ତାର ଶକ୍ତି ଓ ସାହସକୁ ସାରା ବିଶ୍ଵକୁ ଦେଖାଇବା ପାଇଁ ନେଉଛି ଏକ ଭିନ୍ନ ପଦକ୍ଷେପ ।