ନୂଆଦିଲ୍ଲୀ: କେରଳ କ୍ୟାଡରର ଆଇଏଏସ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି । ଏହି ପଦରେ କାର୍ଯ୍ୟରତ ରାଜୀବ କୁମାର ସୋମବାର ନିଜର ବିଦାୟୀ ଭାଷଣ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ଆୟୋଗଙ୍କୁ ବଲି କା ବକରା ସର୍ବଦା କରାଯାଏ । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ହାରିଯାଏ, ତୁରନ୍ତ ନିର୍ବାଚନ ଆୟୋଗଙ୍କୁ ଦାୟୀ କରାଯାଏ । ଏମିତି ବଦଅଭ୍ୟାସ ବନ୍ଦ ହେବା ଉଚିତ୍ ।
କୁମାର କହିଛନ୍ତି, ଏକ ସଂସ୍ଥା ଭାବେ ଆୟୋଗକୁ ଅନେକ ଥର ଅନୁଚିତ ଭାବେ ରାଜନୈତିକ ଦଳର ଲୋକେ ଦାୟୀ କରିଥାନ୍ତି । ସେମାନେ ନିର୍ବାଚନ ପରିଣାମକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି । ନିର୍ବାଚନ ଲଢିବା ପରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରାଯାଉଛି । ଏମିତି ପ୍ରବୃତି ଦିନକୁ ଦିନ ବଢିବାରେ ଲାଗିଛି, ଯାହା ଚିନ୍ତାଜନକ ।
ସେ କହିଛନ୍ତି, ରାଜନୈତିକ ଦଳ ନିର୍ବାଚନ ପ୍ରକ୍ରିୟାର ସବୁ ସ୍ତରରେ ସାମିଲ ହୋଇଥାନ୍ତି । ଏଥିରେ ପୁରା ପାରଦର୍ଶିତା ରହିଥାଏ ଏବଂ ସେହି ସମୟରେ କେହି ଆପତ୍ତି ଉଠାନ୍ତି ନାହିଁ । ମାତ୍ର ପରେ ଏମିତି ସନ୍ଦେହ କରନ୍ତି, ଯେମିତି ସବୁ କିଛି ଭୁଲ୍ ଅଛି । ଖାସ୍ କଥା ବିରୋଧୀ ଦଳ ଅଭିଯୋଗ କରିଥାନ୍ତି ଯେ, ନିର୍ବାଚନ ଆୟୋଗ ଭାରତୀୟ ଜନତା ପାର୍ଟିର ସମର୍ଥନ କରିଥାଏ । ଆୟୋଗ ବାରମ୍ବାର ଏମିତି ଅଭିଯୋଗକୁ ଖଣ୍ଡନ କରି ଆସିଛି ।
ସୂଚନାଯୋଗ୍ୟ, ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ସେ ଏବେ ରାଜୀବ କୁମାରଙ୍କ ସ୍ଥାନ ନେବେ । ୧୯୮୮ ବ୍ୟାଚର କେରଳ କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ଜ୍ଞାନେଶ କୁମାର । ତାଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଜ୍ଞାନେଶ କୁମାର ନିର୍ବାଚନ କମିଶନର ନିଯୁକ୍ତି ସଂପର୍କିତ ନୂତନ ଆଇନ ଆଧାରରେ ନିଯୁକ୍ତ ହେବାରେ ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର । ଏହି ନୂଆ ଆଇନ ଆଧାରରେ ସିଇସି ଚୟନ ପାଇଁ ଗଠିତ କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଗୃହ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି ।